ଭୁବନେଶ୍ୱର : ରାଜ୍ୟରେ ଶୀତ ଆହୁରି କମିଯିବ । ଆସନ୍ତା ସପ୍ତାହ ଯାଏ ପାଗ ଶୁଖିଲା ରହିବ । ଦିନର ତାପମାତ୍ରା ବି ବଢ଼ିବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହା ପୂର୍ବାନୁମାନ କରିଛନ୍ତି । ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୭ ତାରିଖରୁ ଫେବ୍ରୁଆରୀ ୨ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ରାଜ୍ୟରେ ଆହୁରି ଦୁଇ ଦିନ ଘନ କୁହୁଡି ରହିବ । ଶନିବାର କୋରାପୁଟ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନୟାଗଡ, କଟକ, ଖୋର୍ଦ୍ଧା ଓ ଜଗତସିିଂହପୁରରେ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରଫେସର ପଶୁପାଳକ କହିଛନ୍ତି, ୨୨ ତାରିଖ ପରେ ରାଜ୍ୟରେ ବିଶେଷ କୁହୁଡ଼ି ସମ୍ଭାବନା ନାହିଁ। ଶନିବାର ସୁଦ୍ଧା ଉପକୂଳରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ବଢ଼ିବ । ପରେ ୫ଦିନ ଯାଏ ଏହା ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣରେ ରାତି ତାପମାତ୍ରା ବଢ଼ିବ । ୨୩ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବଢ଼ିଯିବ । ୨୫ ତାରିଖ ଯାଏ ଏହା ଅପରିବର୍ତ୍ତିତ ରହିବ । ଉତ୍ତର ଆଭ୍ୟନ୍ତରରେ ରାତି ତାପମାତ୍ରା ବଢ଼ିବ । ୨୫ ସୁଦ୍ଧା ପ୍ରାୟ ୫ ଡିଗ୍ରୀ ବଢ଼ିବା ଯୋଗୁ ଶୀତ କମିଯିବ ବୋଲି ସେ ଆକଳନ କରିଛନ୍ତି ।