ଲଣ୍ଡନ : ଚଳିତ ୱିମ୍ବଲଡନ୍ ଓପନ୍ରେ ବୁଧବାର ମହିଳା ସିଙ୍ଗଲ୍ସରେ ଅନ୍ତିମ ଦୁଇଟି କ୍ୱାର୍ଟର୍ ଫାଇନାଲ୍ ଖେଳାଯାଇଥିବା ବେଳେ ଏଥିରେ ଓନ୍ସ ଜାବିଉର୍ ଓ ଆରିନା ସାବାଲେଙ୍କା ବିଜୟୀ ହୋଇଛନ୍ତି । ଫଳସ୍ୱରୂପ ସେମିଫାଇନାଲ୍ ପର୍ଯ୍ୟାୟ ଚୂଡ଼ାନ୍ତ ହୋଇଛି । ଗୁରୁବାର ପ୍ରଥମ ସେମିଫାଇନାଲ୍ ଏଲିନା ସ୍ୱିତୋଲିନା ଓ ମାର୍କେଟା ଭୋଣ୍ଡ୍ରୋସୋଭାଙ୍କ ମଧ୍ୟରେ ଏବଂ ଦ୍ୱିତୀୟ ସେମିଫାଇନାଲ୍ ଜାବିଉର୍ ଓ ସାବାଲେଙ୍କାଙ୍କ ମଧ୍ୟରେ ଖେଳାଯିବ । ଟ୍ୟୁନିସିଆର ଷଷ୍ଠ ସିଡ୍ ଖେଳାଳି ଜାବିଉର୍ କ୍ୱାର୍ଟର୍ ଫାଇନାଲ୍ରେ କଜାଖ୍ସ୍ତାନର ତୃତୀୟ ସିଡ୍ ଖେଳାଳି ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଏଲିନା ସ୍ୱିତୋଲିନାଙ୍କୁ ୬-୭(୫),୬-୪,୬-୧ରେ ପରାସ୍ତ କରିଛନ୍ତି । ଫଳସ୍ୱରୂପ ଜାବିଉର୍ ଗତ ବର୍ଷ ଏଠାରେ ବରଣ କରିଥିବା ପରାଜୟର ପ୍ରତିଶୋଧ ନେଇପାରିଛନ୍ତି ।
ଗତବର୍ଷ ଏଠାରେ ଜାବିଉର୍ଙ୍କ ପାଖରେ ପ୍ରଥମ ଆରବୀୟ ମହିଳା ଚାମ୍ପିଅନ୍ ହେବାର ସୁଯୋଗ ଥିଲେ ହେଁ ତିନି ସେଟ୍ ବିଶିଷ୍ଟ ଫାଇନାଲ୍ରେ ପରାସ୍ତ ହେବା ଫଳରେ ତାଙ୍କର ଏହି ସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା । କିନ୍ତୁ ଚଳିତ ବର୍ଷ ସେ ସେମିରେ ପହଞ୍ଚି ପୁଣିଥରେ ଏହି ରେକର୍ଡ ସମ୍ଭାବନାକୁ ଉଜାଗର କରିଛନ୍ତି । ବୁଧବାରର ମ୍ୟାଚ୍ରେ ସେ ପ୍ରଥମ ସେଟ୍ରେ ଟାଇବ୍ରେକର୍ରେ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇଟି ସେଟ୍ ଜିତି ଦମ୍ଦାର ପ୍ରତ୍ୟାବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ । ଦ୍ୱିତୀୟ ସେଟ୍ରେ ସେ କ୍ରମାଗତ ଭାବେ ୫ଟି ଗେମ୍ ଜିତି ସ୍ଥିତି ବରାବର କରିବା ସହ ମ୍ୟାଚ୍କୁ ନିର୍ଣ୍ଣାୟକ ସେଟ୍କୁ ନେଇଥିଲେ । ଏହି ସେଟ୍ରେ ମଧ୍ୟ ନିଜର ଦବ୍ଦବା କାଏମ ରଖିବା ସହ ଅନ୍ତିମ ୪ ଖେଳାଳି ସୂଚୀରେ ସାମିଲ୍ ହୋଇଥିଲେ ।
ଅନ୍ୟପକ୍ଷରେ ବେଲାରୁଷ୍ର ସାବାଲେଙ୍କା ତାଙ୍କ କ୍ୱାର୍ଟର୍ ମୁକାବିଲାରେ ଆମେରିକାର ୨୫ତମ ସିଡେଡ୍ ଖେଳାଳି ମ୍ୟାଡିସନ୍ କିଜ୍ଙ୍କୁ ୬-୨,୬-୪ ସିଧାସଳଖ ସେଟ୍ରେ ହରାଇଛନ୍ତି । ଏଥିସହ ୨୫ ବର୍ଷୀୟ ସାବାଲେଙ୍କା ସିଜନ୍ର ଏହି ତୃତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ରେ ଦ୍ୱିତୀୟ ଥର ପାଇଁ ସେମିଫାଇନାଲ୍ରେ ପହଞ୍ଚିଛନ୍ତି । ଏହି ମ୍ୟାଚ୍କୁ ପ୍ରଭାବଶାଳୀ ପ୍ରଦର୍ଶନ ଆଧାରରେ ସାବାଲେଙ୍କା ମାତ୍ର ୮୭ ମିନିଟ୍ରେ ଶେଷ କରିଥିଲେ । ସେହିପରି ପୁରୁଷ ସିଙ୍ଗଲ୍ସରେ ବୁଧବାର ଖେଳାଯାଇଥିବା ଏକ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ଡେବ୍ୟୁଟାଣ୍ଟ୍ ଆମେରିକାର କ୍ରିଷ୍ଟୋଫର୍ ଇଉବ୍ୟାଙ୍କ୍ସଙ୍କୁ ପରାସ୍ତ କରି ରୁଷିଆର ତୃତୀୟ ସିଡ୍ ଖେଳାଳି ଡାନିଲ୍ ମେଡଭେଡେଭ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି । ସେ ଏହି ମ୍ୟାଚ୍କୁ ୬-୪,୧-୬,୪-୬,୭-୬(୭/୪),୬-୧ରେ ଜିତିଛନ୍ତି । ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ରେ ପୂର୍ବରୁ ଦ୍ୱିତୀୟ ରାଉଣ୍ଡ୍ ପର୍ଯ୍ୟନ୍ତ ପହଞ୍ଚିପାରିଥିବା ଇଉବ୍ୟାଙ୍କ୍ସଙ୍କୁ ହରାଇବା ସକାଶେ ମେଡଭେଡେଭ୍ଙ୍କୁ ୨ ଘଣ୍ଟା ୫୭ ମିନିଟ୍ ସମୟ ଲାଗିଥିଲା ।
ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସର ଏକ ପ୍ରିକ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ବିଶ୍ୱର ଦ୍ୱିତୀୟ ସିଡ୍ ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍ ରୁଷିଆର ସପ୍ତମ ସିଡ୍ ଆନ୍ଦ୍ରେ ରୁବଲେଭ୍ଙ୍କୁ ୬-୪,୧-୬,୬-୪,୬-୩ରେ ପରାସ୍ତ କରି ଦ୍ୱାଦଶ ଥର ପାଇଁ ଏଠାରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି । ଏଥିସହ ଜୋକୋଭିଚ୍ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ରେ ୪୬ତମ ସେମିଫାଇନାଲ୍ରେ ପହଞ୍ଚି କିମ୍ବଦନ୍ତୀ ଖେଳାଳି ସ୍ୱିଜରଲାଣ୍ଡ୍ର ରୋଜର୍ ଫେଡେରର୍ଙ୍କ ସମକକ୍ଷ ହୋଇଛନ୍ତି । ମଙ୍ଗଳବାର ମଧ୍ୟ ୩୬ ବର୍ଷୀୟ ଜୋକୋଭିଚ୍ ତାଙ୍କ କ୍ୟାରିଅର୍ର ୪୦୦ତମ ମ୍ୟାଚ୍ ପୂରଣ କରିଛନ୍ତି । ସେ ଗୁରୁବାର ସେମିଫାଇନାଲରେ ଇଟାଲୀର ଜାନିକ୍ ସିନର୍ଙ୍କୁ ଭେଟିବେ ।