20.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶ‘ଆଇନ୍ ଦୃଷ୍ଟିରୁ ୱିକିପିଡିଆ ଗ୍ରହଣୀୟ ନୁହେଁ’

‘ଆଇନ୍ ଦୃଷ୍ଟିରୁ ୱିକିପିଡିଆ ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ରେ ଉପଲବ୍ଧ ୱିକିପିଡିଆକୁ ଆଇନଗତଭାବେ ଗ୍ରହଣ କରାଯାଇପାରିବନି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହୁରି କହିଛନ୍ତିି ଯେ ସାଧାରଣତଃ ସାଧାରଣ ଲୋକଙ୍କ ଦ୍ୱାରା ୱିକିପିଡିଆରେ ତଥ୍ୟ ଅପ୍‌ଲୋଡ୍ କରାଯାଇଥାଏ । ତେଣୁ ପାଠକଙ୍କୁ ବିଭ୍ରାନ୍ତ କରାଯିବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏହାକୁୁ ସମ୍ପୂର୍ଣ୍ଣଭାବେ ଭରସା କରାଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଘଟିଥିବା କିମ୍ବା ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ୱିକିପିଡିଆରୁ ସୂଚନା ଉପଲବ୍ଧ ହୋଇଥାଏ ସତ, ତେବେ କୌଣସି ଆଇନଗତ ମାମଲାର ଫଇସଲା ପ୍ରସଙ୍ଗରେ ଏହା ଉପରେ ସମ୍ପୂର୍ଣ୍ଣ ଭରସା ନକରିବାକୁ ଖଣ୍ଡପୀଠ ସତର୍କ କରିିଛନ୍ତି । ୱିକିପିଡିଆରେ ସ୍ଥାନିତ ହୋଇଥିବା ତଥ୍ୟକୁ ବଦଳାଇବା କିମ୍ବା ଭୁଲ ତଥ୍ୟ ପ୍ରଦାନ କରାଯିବା ଉପରେ କୌଣସି ଅଙ୍କୁଶ ବ୍ୟବସ୍ଥା କରାଯାଇନାହିଁ । ତେଣୁ କୌଣସି ମାମଲାର ଶୁଣାଣି ସମୟରେ ଅଦାଲତ ଓ ଓକିଲମାନେ ଅଧିକ ବିଶ୍ୱସ୍ତନୀୟ ଏବଂ ଭରସାଯୋଗ୍ୟ ତଥ୍ୟ ଉପରେ ନିର୍ଭର କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି । ସେଣ୍ଟ୍ରାଲ ଏକ୍ସାଇଜ୍ ଟାରିଫ୍ ଆକ୍ଟ,୧୯୮୫ ସମ୍ପର୍କିତ ‘ଅଲ୍ ଇନ୍ ୱାନ୍ ଇଣ୍ଟିଗ୍ରେଟେଡ୍ ଡେକ୍ସଟପ୍ କମ୍ପ୍ୟୁଟର’ ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ କଷ୍ଟମ୍‌ସ କମିଶନର ନିର ପକ୍ଷ ରଖିବାକୁ ୱିକିପିଡିଆରୁ ଉପଲବ୍ଧ ଅଧିକାଂଶ ତଥ୍ୟ ଉପସ୍ଥାପନ କରିଥିବାରୁ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଅତୀତରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ଜଷ୍ଟିସ ମାର୍କଣ୍ଡେୟ କାଟ୍‌ଜୁ ୱିକିପିଡିଆରେ ଉପଲବ୍ଧ ତଥ୍ୟକୁ ଆଧାର କରି ଏକ ମାମଲାର ରାୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking