ନୂଆଦିଲ୍ଲୀ: ସଫଳତା ପାଇବାକୁ ହେଲେ ତିନୋଟି ମୁଖ୍ୟ ଜିନିଷର ଆବଶ୍ୟକତା ରହିଛି। ଏହାହେଲା ଧନ, ଖ୍ୟାତି ଏବଂ ମାନସିକ ଶାନ୍ତି। ଧନ ଏବଂ ଖ୍ୟାତି ପାଇବା ସହଜ କିନ୍ତୁ ମାନସିକ ଶାନ୍ତି ପାଇବା ଏତେ ସହଜ ନୁହେଁ। ଏଥିପାଇଁ ସବୁଠାରୁ ବଡ ଅସ୍ତ୍ର ହେଉଛି ଯୋଗ। ଯୋଗ ବିନା ମାନସିକ ଶାନ୍ତି ସମ୍ଭବ ନୁହେଁ। ଭାରତୀୟ ଋଷିମୁନୀଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ଯୋଗ ଆଜି ଦେଶ ବିଦେଶରେ ପରିଚିତ। ଏନେଇ ଭାରତକୁ ଯୋଗର ଗୁରୁ ବୋଲି କୁହାଯାଏ।
ଯୋଗ କେବଳ ରୋଗରୁ ମୁକ୍ତି ଦେଇ ନଥାଏ, ଏହା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏ ବିଷୟରେ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଏହା ପଛର ଇତିହାସ ଓ ଲକ୍ଷ ବିଷୟରେ ଜାଣିନେବା।
ହିନ୍ଦୁ କ୍ୟାଲେଣ୍ଡର୍ ଅନୁଯାୟୀ, ଜୁନ୍ ୨୧ରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଲମ୍ବା ଦିନ ହୋଇଥାଏ, ଯାହାକୁ ଗ୍ରୀଷ୍ମ ସଂକ୍ରାନ୍ତି କୁହାଯାଏ। ଗ୍ରୀଷ୍ମ ସଂକ୍ରାନ୍ତି ପରେ ସୂର୍ୟ୍ୟଙ୍କ ଗତି ଦକ୍ଷିଣାୟନ ହୋଇଥାଏ। ଏହି କାରଣରୁ ସୂର୍ୟ୍ୟଙ୍କ ତେଜ କମିବା ଆରମ୍ଭ ହୁଏ, ଯେଉଁ କାରଣରୁ ପରିବେଶ ଅଶୁଦ୍ଧ ହୋଇଯାଏ। ଫଳରେ ଜୀବାଣୁ ଉତ୍ପନ୍ନ ହେବାକୁ ଲାଗନ୍ତି, ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଏପରି ପରିସ୍ଥିତିରେ, ପ୍ରତିବର୍ଷ ଜୁନ୍ ୨୧ରେ ଆଧ୍ୟାତ୍ମିକ ସଫଳତା ହାସଲ କରିବା ଓ ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ସ୍ଥିର ହୋଇଛି।
ଯୋଗ ବିଦ୍ୟାରେ ଭଗବାନ ଶିବଙ୍କୁ ‘ଆଦିଯୋଗୀ’ ଭାବରେ ବିବେଚନା କରାଯାଏ ଅର୍ଥାତ ଶିବଙ୍କୁ ଯୋଗର ଜନକ ବୋଲି କୁହାଯାଏ। ବେଦ ଅନୁଯାୟୀ ଯୋଗ ହେଉଛି ଜୀବାତ୍ମା ଏବଂ ପରମାତ୍ମାର ମିଳନ। ଯୋଗ ଅହଂକାରକୁ ନଷ୍ଟ କରି ଚେତନାରେ ଚାଲୁଥିବା ବିଭିନ୍ନ ପ୍ରବୃତ୍ତିକୁ ବନ୍ଦ କରିଥାଏ।
ଯୋଗ ଦିବସ ପାଳନ ୨୦୧୫ରୁ ସମଗ୍ର ବିଶ୍ୱରେ ଆରମ୍ଭ ହୋଇଥିଲା। ସଂକ୍ରମଣ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଏ।
୨୭ ସେପ୍ଟେମ୍ବର ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘରେ ବିଶ୍ୱର ସମସ୍ତ ଦେଶକୁ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ମିଳିତ ଜାତିସଂଘ ମହାସଭା ମାତ୍ର ତିନି ମାସ ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ ଘୋଷଣା କରିଥିଲା। ଏହା ପରେ ବିଶ୍ୱ ୨୦୧୫ରେ ପ୍ରଥମ ଥର ପାଇଁ ଯୋଗ ଦିବସ ପାଳନ କଲା।
ଯୋଗ ଦିବସ ପାଇଁ ପ୍ରତିବର୍ଷ ଏକ ଭିନ୍ନ ଥିମ୍ ସ୍ଥିର ହୋଇଥାଏ। ଚଳିତ ବର୍ଷ ପାଇଁ ‘ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ’ର ପ୍ରେରଣା ନେଇ ‘ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ’ ରଖାଯାଇଛି। ଏହି ଥିମ୍ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ହୋଇଛି।