ବ୍ରହ୍ମପୁର: କୂଅ ଖୋଳୁଥିବା ବେଳେ ମାଟି ଅତଡା ଖସିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ବ୍ରହ୍ମପୁର ସହର ଶ୍ରୀରାମନଗର ମଶାଣି ସାହି ପାର୍କ ନିକଟରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଜଗଦଳପୁରର ସନ୍ତୋଷ ସେଠୀ(୩୬)। ମଶାଣି ସାହି ପାର୍କ ନିକଟରେ ଥିବା ପିଙ୍କୁ ସାବତଙ୍କ ଘର ବାରିପଟେ ଏକ କୂଅ ଖୋଳାଯାଉଥିଲା। ସେହିକ କୂଅ ଖୋଳିବା କାର୍ଯ୍ୟରେ ସନ୍ତୋଷଙ୍କ ସହ ଅନ୍ୟ ଶ୍ରମିକମାନେ ନିୟୋଜିତ ହୋଇଥିଲା। ଅପରାହ୍ନ ସାଢେ ୧ଟା ବେଳେ ସନ୍ତୋଷ ଗଭୀର ଗାତ ଭିତରେ ପଶି ମାଟି ଓ ପାଣି ବାହାର କରୁଥିବା ବେଳେ ହଠାତ ଏକ ବଡ ମାଟି ଅତଡା ତାଙ୍କ ଉପରେ ପଡି ଯାଇଥିଲା। ବେସ୍ କିଛି ସମୟ ଧରି ସନ୍ତୋଷ ସେହି କୂଅ ଭିତରେ ରହିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ବଡ ଡାକ୍ତରଖାନା ପଠାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ମୃତ ସନ୍ତୋଷଙ୍କ ବଡ଼ଭାଇ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସନ୍ତୋଷଙ୍କ ଘର ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ବୋଲି ସୂଚନା ମିଳିଛି।