ଭୁବନେଶ୍ୱର: କହିବାକୁ ଗଲେ ଶ୍ରମିକ ମାନଙ୍କ ପାଇଁ ହିଁ ଦୁନିଆ ଆଗେଇଛି । ତେଣୁ ଶ୍ରମିକ ମାନଙ୍କ ସମ୍ମାନାର୍ଥେ ୧୮୮୬ ମସିହାରେ ପ୍ରଥମେ ଆମେରିକାର ଚିକାଗୋ ସହରରେ ଶ୍ରମିକ ଦିବସ ପାଳିତ ହୋଇଥିଲା । ଏହିରେ ଏହା ଅନ୍ୟ ଦେଶ ମାନଙ୍କୁ ବ୍ୟାପିଥିଲା । ବର୍ତ୍ତମାନ ୮୦ରୁ ଅଧିକ ଦେଶରେ ମେ’୧ ଦିନଟିକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି । ସେହିପରି ଭାରତରେ ୧୯୨୩ ମସିହା ଠାରୁ ମେ’୧ ତାରିଖକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି ଓ କିନ୍ତୁ ଅନ୍ୟ କେତେକ ଦେଶରେ ସେପ୍ଟେମ୍ବର ମାସର ପ୍ରଥମ ସୋମବାରଟିକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି ।
ଅନ୍ୟପଟେ, ଆଠ ଘଣ୍ଟିଆ କାର୍ୟ୍ୟ ନିର୍ଘଣ୍ଟ ସ୍ଥିର ପାଇଁ ଶ୍ରମିକ ଆନ୍ଦୋଳନର ପ୍ରଥମ ପଦଯାତ୍ରା ୨୧ ଏପ୍ରିଲ ୧୮୫୬ ରେ ମେଲବୋର୍ଣ୍ଣରେ ଘଟିଥିଲା । ଏହି ଦିନ, ମେଲବୋର୍ଣ୍ଣର ଚାରିପାଖରେ ହେଉଥିବା ବିରାଟ ପଥର ପାଚେରୀକୁ ନିର୍ମାଣ ଶ୍ରମିକମାନେ କାର୍ୟ୍ୟ ବନ୍ଦ କରି, ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ସଂସଦ ଗୃହକୁ ଚାଲି ଚାଲି ଯାଇ ନିଜର ଦାବି ଜଣାଇଥିଲେ ଓ ଦାବି ଅନୁସାରେ ସେମାନେ କେବଳ ଦିନବେଳା ଆଠ ଘଣ୍ଟା କାର୍ୟ୍ୟ କରିବେ । ପୁଞ୍ଜିବାଦୀଙ୍କ ବିରୁଦ୍ଧରେ ସେମାନଙ୍କର ଏହି ପ୍ରତ୍ୟକ୍ଷ କାର୍ୟ୍ୟାନୁଷ୍ଠାନ ସଫଳ ହୋଇଥିଲା । ସେତେବେଳେ ଆମେରିକା ସମେତ ଅନେକ ଦେଶରେ ୧୨ -୧୨ ଘଣ୍ଟା ଲେଖା ଶ୍ରମିକ ମାନେ କାମ କରୁଥିଲେ ଓ ଏପରିକି ବାଲଶ୍ରମିକ ମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହୋଇଥିଲା ଓ ମାତ୍ର ସେହି ଅନୁପାତରେ ଦରମା ମିଳୁ ନଥିବାରୁ ଶ୍ରମିକ ଅସନ୍ତୋଷ ବ୍ୟାପିଥିଲା ।
୧୮୮୬ ମସିହାରେ ଆମେରିକାରେ ଶ୍ରମିକ ଆନ୍ଦୋଳନ ଉତ୍କଟ ରୂପ ନେଇଥିଲା ଓ ସେହି ସମୟରେ ଦିନକୁ ଆଠ ଘଣ୍ଟା କାର୍ୟ୍ୟ କରିବା ନିଷ୍ପତିରେ ୨ ଲକ୍ଷ ଶ୍ରମିକ ଆନ୍ଦୋଳନ କରିଥିଲେ ଓ ଏହାସହିତ କାର୍ୟ୍ୟ ଅନୁଯାୟୀ ଦରମା ବଢାଇବା ପାଇଁ ଦାବି ଜଣାଇଥିଲେ । ଏହାପରେ ୧୮୮୯ ରେ ପ୍ୟାରିସ ରେ ଅନ୍ତଃରାଷ୍ଟ୍ରୀୟ ମହାସଭା ବୈଠକ ହୋଇଥିଲା ଓ ଏହି ସମୟରେ ୮ ଘଣ୍ଟିଆ କାର୍ୟ୍ୟ ନିର୍ଘଣ୍ଟ ସ୍ଥିର ସାଙ୍ଗକୁ ମେ’୧ କୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବରେ ମାନ୍ୟତା ମିଳିଥିଲା ।