କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ହସ୍ପଟାଲ୍ (ଏସ୍ସିବି)ର ବିଭିନ୍ନ ବିଭାଗରେ କେବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୈତ୍ରୀ ସଂସଦ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଡଡ.ବି.ଆର୍.ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ୁପରୋକ୍ତ ଆଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ରାଜ୍ୟ ସରକାର ୧ ବର୍ଷ ମଧ୍ୟରେ କଟକ ବଡ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସତ୍ୟପାଠ ଦାଖଲ କରିଥିଲେ ।
ତେବେ ସତ୍ୟପାଠ ଦାଖଲ କରିବାର ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିରେ ବିଫଳ ହୋଇଥିବାରୁ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଏହି ମର୍ମରେ କେବେ ସୁଦ୍ଧା ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଆସନ୍ତା ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଦାଲତ ଦିନଧାର୍ଯ୍ୟ କରିଛନ୍ତି ।