ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବିତ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ଶନିବାର କୌଣସି ପ୍ରତିକ୍ରିୟା ଦେବେନି ବୋଲି କହିଥିଲେ । ଚିରଞ୍ଜିବୀ ନିଜର ନିଲମ୍ବନ ପ୍ରସଙ୍ଗରେ ସୋମବାର ପ୍ରତିକ୍ରିୟା ରଖିବେ ବୋଲି ସୂଚନା ମିଳିଛି । ତେବେ ତାଙ୍କ ନିଲମ୍ବନକୁ ପିସିସି ସାଧାରଣ ସମ୍ପାଦକ ତଥା ଜଗତସିଂହପୁର ଜିଲ୍ଲା ବାଲିକୁଦାର ପୂର୍ବତନ ବିଧାୟକ ଡାକ୍ତର ଲଲାଟେନ୍ଦୁ ମହାପାତ୍ର ସ୍ୱାଗତ କରିଛନ୍ତି । ଡାକ୍ତର ମହାପାତ୍ର କହିଛନ୍ତି ଯେ ଚିରଞ୍ଜିବୀଙ୍କ ବିରୁଦ୍ଧରେ ଏଭଳି ନିଷ୍ପତ୍ତି ଓ କାର୍ଯ୍ୟାନୁଷ୍ଠାନ ବହୁ ଆଗରୁ ନିଆଯିବାର ଥିଲା । ଏଠି ଦଳ ବଡ଼, ବ୍ୟକ୍ତି ବଡ଼ ନୁହେଁ । ଏଆଇସିସି ଯାହା କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ସ୍ୱାଗତଯୋଗ୍ୟ । ବିଶୃଙ୍ଖଳିତ ଆଚରଣ କରୁଥିବା ନେତାମାନେ, ଯେଉଁମାନେ ନିଜର ନିଜର ଅହଙ୍କାର ଓ ଅହମିକାରେ କଂଗ୍ରେସରେ ବିଶୃଙ୍ଖଳା କରୁଥିଲେ ସେମାନେ ଜାଣି ରଖିବା ଉଚିତ୍ ଯେ ସେମାନେ ବଡ଼ ନୁହନ୍ତି । ଦଳ ହେଉଛି ବଡ଼ ।
ଦଳ ସେମାନଙ୍କୁ ପରିଚୟ ଦେଇଛି । ତେଣୁ ଦଳକୁ ସମ୍ମାନ ଦେବା ଏହି ନେତାମାନେ ପ୍ରଥମେ ଶିଖିବା ଉଚିତ୍ । କଂଗ୍ରେସକୁ ଆଜି ପର୍ଯ୍ୟନ୍ତ କର୍ମୀମାନେ ହିଁ ବଞ୍ଚାଇ ରଖିଛନ୍ତି । ସେମାନେ ହେଉଛନ୍ତି ନମସ୍ୟ । ଚିରଞ୍ଜିବୀଙ୍କ ନିଲମ୍ବନ ଯୋଗୁ ଜିଲ୍ଲା କିମ୍ବା ରାଜ୍ୟ କଂଗ୍ରେସ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଓଲଟା ଦଳରେ ଶୃଙ୍ଖଳା ଅଧିକ ବ୍ୟବସ୍ଥିତ ହେବ ବୋଲି କହିଛନ୍ତି ଲଲାଟେନ୍ଦୁ । ଅନ୍ୟପକ୍ଷରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି ଯେ ଏଆଇସିସି-ପିସିସି କଥାରେ ଟିପ୍ପଣୀ ଦେବା ଉଚିତ୍ ହେବନି । କିନ୍ତୁ ନିଲମ୍ବନ ନିଷ୍ପତ୍ତି ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ଜଗତସିଂହପୁର ଜିଲ୍ଲା କଂଗ୍ରେସ ପାଇଁ କ୍ଷତିକାରକ । ଏହି ନିଲମ୍ବନ ନିଷ୍ପତ୍ତିକୁ ନେଇ ଚିରଞ୍ଜିବୀ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ପରେ ଜିଲ୍ଲା କଂଗ୍ରେସ ତା’ର ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି କହିଛନ୍ତି ନଟବର ।