ନୂଆଦିଲ୍ଲୀ: ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ । ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ସମେତ ଅଧିନାୟକ ରୋହିତ ଶର୍ମା, ଜାଡେଜାଙ୍କ ଭଳି ଖେଳାଳି ଦଳରୁ ବାଦ ପଡିଛନ୍ତି । ତେଣୁ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ । ରୋହିତ ସେନା ଦିନିକିଆ ସିରିଜକୁ କ୍ଲିନ ସ୍ୱିପ କରିବା ପରେ ହାର୍ଦ୍ଦିକ ମଧ୍ୟ ଟି-୨୦ ସିରିଜ ହାତେଇବା ପାଇଁ ଚେଷ୍ଟା କରିବେ । ସେପଟେ ଦିନିକିଆ ସିରିଜର ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ କିୱି ।
ଆଜିର ପ୍ରଥମ ଟି-୨୦ ମ୍ୟାଚରେ କ’ଣ ରହିପାରେ ପ୍ଲେଇଙ୍ଗ ୧୧ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଜିର ଦଳରେ ଦଳ ତରଫରୁ ଓପନିଙ୍ଗ କରିବାର ଦାୟିତ୍ୱ ୱିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଏବଂ ଶୁଭମନ ଗିଲଙ୍କୁ ସୁଯୋଗ ମିଳିବା ନିଶ୍ଚୟ । ଉଭୟ ଖେଳାଳି ନିକଟରେ ଦ୍ୱିଶତକ ହାସଲ କରିଥିବା ବେଳେ ଦମଦାର ଫର୍ମରେ ମଧ୍ୟ ରହିଛନ୍ତି । ଏହାପରେ ଉପଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ୩ ନମ୍ବରରେ ଖେଳୁଥିବାର ଦେଖିବାକୁ ମିଳିବ । ତେବେ ମଧ୍ୟକ୍ରମରେ ରନ ବଢାଇବା ପାଇଁ ରାହୁଲ ତ୍ରିପାଠୀଙ୍କୁ ସୁଯୋଗ ଦିଆଯାଇପାରେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦୀପକ ହୁଡ୍ଡା ଫିନିସର ଦାୟିତ୍ୱ ତୁଲାଇବେ । ଏହାପରେ ଅଲରାଉଣ୍ଡର ଭାବରେ ୱାଶିଂଟନ ସୁନ୍ଦର ଦଳରେ ସୁଯୋଗ ପାଇପାରନ୍ତି । ତେବେ ବୋଲିଂ ବିଭାଗରେ ଶିଭମ ମାବି, ଅର୍ଶଦୀପ ସିଂହ ଏବଂ ଉମ୍ରାନ ମଲିକ ଦଳରେ ସ୍ଥାନ ପାଇବେ । ତେବେ ଦଳରେ ମୁଖ୍ୟ ସ୍ପିନର ଭାବରେ କୁଳଦୀପ ଯାଦବ କିମ୍ବା ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣକୁ ସୁଯୋଗ ଦେବେ ହାର୍ଦ୍ଦିକ ।
ନ୍ୟୁଜିଲାଣ୍ଡ ଶିବିରରେ ମଧ୍ୟ ଭାରତକୁ ମାତ୍ ଦେବା ପାଇଁ ମିଚେଲ ସାଣ୍ଟନର ପ୍ରସ୍ତୁତି ଜୋରଦାର କରିଛନ୍ତି । ତେବେ ପ୍ରଥମ ମ୍ୟାଚରେ ବିଜୟର ମୁକୁଟ କିଏ ପିନ୍ଧିବ ତାହା ରୋମାଞ୍ଚକର ରହିବ । ଏଥିସହ ଉଭୟ ଦଳ ମଧ୍ୟରେ ଏକ ମଜାଦାର ଢ଼୍ୟାଚ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ରାଞ୍ଚି ମଇଦାନରେ ଆଜି ପ୍ରଥମ ଟି-୨୦ ଖେଳାଯିବାକୁ ଥିବା ବେଳେ ମ୍ୟାଚ ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏଠାରେ ପହଞ୍ଚିଥିଲେ । ଖେଳାଳିମାନଙ୍କ ସହ ମିଶି କିଛି ଟିପ୍ସ ଦେଉଥିବାର ଏକ ଭିଡିଓ ଭାଇରାଲ ହେଉଛି ।
ଭାରତର ପ୍ଲେଇଙ୍ଗ ୧୧:-
ଇଶାନ କିଶାନ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ/କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ଶିଭମ ମାବି, ଉମ୍ରାନ ମଲିକ
ନ୍ୟୁଜିଲାଣ୍ଡ ପ୍ଲେଇଙ୍ଗ ୧୧:-
ଡିଭନ କନୱେ, ଫିନ ଆଲେନ, ଗ୍ଲେନ ଫିଲିପ୍ସ, ମାର୍କ ଚାପମ୍ୟାନ, ଡାରିଲ ମିଚେଲ, ମିଚେଲ ସାଣ୍ଟନର, ମାଇକେଲ ବ୍ରେସୱେଲ, ଇସ ଶୋଢୀ, ଜ୍ୟାକବ ଡଫି, ହେନରୀ ଶିପଲେ, ଲକି ଫର୍ଗୁସନ