ନୂଆଦିଲ୍ଲୀ : ସରିଲା ପ୍ରତୀକ୍ଷା । ବାଜିଲା ୨୦୨୪ ନିର୍ବାଚନ ବିଗୁଲ । ନେତା ଓ ଭୋଟର ଯେଉଁ ତାରିଖକୁ ଦୀର୍ଘଦିନ ହେଲା ଅପେକ୍ଷା କରି ବସିଥିଲେ ତାହା ଏବେ ସାମନାକୁ ଆସିଛି । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇସିଆଇ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଆଉ କେବେ ଓ କେତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ତାହା ସ୍ପଷ୍ଟ କରିଛନ୍ତି । ଓଡିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ୭ଟି ପର୍ୟ୍ୟାୟରେ ହେବ । ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେଇ ଜୁନ୍ ୧ ତାରିଖରେ ସରିବ ୭ମ ପର୍ୟ୍ୟାୟ ଭୋଟ୍ ଗ୍ରହଣ । ଏହାପରେ ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯାଇ, ସେହିଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ ।
ଆଦର୍ଶ ଆଚରଣ ବିଧି କଣ ?
ଏହି ନିୟମ ଲାଗୁ ହେବା ପରେ ରାଜେନୈତିକ ଦଳଗୁଡ଼ିଙ୍କୁ ନିର୍ବାଚନ ଆୟୋଗ ଦ୍ୱାରା ନିର୍ମିତ କେତେକ ନିର୍ଦ୍ଦେଶନାମାର ପାଳନ କରିବାକୁ ପଡ଼ିଥାଏ। ତେବେ ରାଜନୈତିକ ଦଳ ପାଇଁ ନିର୍ଦ୍ଧାରିତ ସାମଜିକ ବ୍ୟବହାର, ନିୟମ ଏବଂ ଉତ୍ତରଦାୟିତ୍ୱ ସମୂହକୁ ଆଦର୍ଶ ଆଚରଣ ବିଧି କୁହାଯାଇଥାଏ। ଯାହାକୁ ଇଂରାଜୀରେ କୋଡ୍ ଅଫ୍ କଣ୍ଡକ୍ଟ କହନ୍ତି। ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ କିଛି ନିୟମ କରିଛନ୍ତି। ଏହି ନିୟମଗୁଡିକ ‘ଆଦର୍ଶ ଆଚରଣ ବିଧି’ ଭାବରେ ଜଣାଶୁଣା । ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ସମୟରେ ସମସ୍ତ ଦଳ ଏହି ନିୟମ ମାନିବା ଉଚିତ୍। “ଆଦର୍ଶ ଆଚରଣ ବିଧି” ମାଧ୍ୟମରେ ହିଁ ଦଳମାନଙ୍କୁ କୁହାଯାଇଛି ଯେ ସେମାନେ କ’ଣ କରିପାରିବେ ଏବଂ କ’ଣ କରିପାରିବେ ନାହିଁ। ଭାରତୀୟ ସମ୍ବିଧାନର ଧାରା ୩୨୪ ଅନୁଯାୟୀ ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ପାଳନ କରିବାକୁ ବାଧ୍ୟ ।
୧୯୬୦ ମସିହାରେ କେରଳ ବିଧାନସଭା ନିର୍ବାଚନ ସମୟରେ ‘ଆଦର୍ଶ ଆଚରଣ ବିଧି’ କାର୍ଯ୍ୟକାରୀ ହୋଇଥିଲା। ୧୯୬୨ ଲୋକସଭା ନିର୍ବାଚନରେ ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ଏହି ନିୟମ ବିଷୟରେ ରାଜନୈତିକ ଦଳମାନଙ୍କୁ ସୂଚନା ଦେଇଥିଲେ। ଆଦର୍ଶ ଆଚରଣ ବିଧି ଲୋକସଭା ନିର୍ବାଚନ ଏବଂ ୧୯୬୭ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଠାରୁ ଆରମ୍ଭ ହୋଇଥିଲା । ମତଦାନ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରନ୍ତି। ନିର୍ବାଚନ ସରିବା ପରେ ‘ଆଦର୍ଶ ଆଚରଣ ବିଧି’ ହଟାଯାଏ।
‘ଆଦର୍ଶ ଆଚରଣ ବିଧି’ ଲାଗୁ ହେବା ପରେ ରାଜନୈତିକ ଦଳ କ’ଣ କରିପାରିବେ ନାହିଁ?
ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ମନ୍ତ୍ରୀମାନେ ନିର୍ବାଚନ ସମାବେଶ କରିପାରିବେ ନାହିଁ। ଏହି ସମୟ ମଧ୍ୟରେ ମନ୍ତ୍ରୀମାନେ କେବଳ ସେମାନଙ୍କ ବାସସ୍ଥାନ ଏବଂ କାର୍ଯ୍ୟାଳୟ ମଧ୍ୟରେ ଯାତାୟାତ ପାଇଁ ସରକାରୀ ଯାନ ବ୍ୟବହାର କରିପାରିବେ। କୌଣସି ମନ୍ତ୍ରୀ ସରକାରୀ ଗାଡ଼ିର ବ୍ୟବହାର କରିପାରିବେ ନାହିଁ।ଏହି ଯାନଗୁଡିକ ରାଜନୈତିକ ସମାବେଶ କିମ୍ବା ଯାତ୍ରା ପାଇଁ ବ୍ୟବହାର କରାଯାଇପାରିବ ନାହିଁ ।
ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ସରକାରଙ୍କ ଖର୍ଚ୍ଚରେ ଏପରି କୌଣସି ଆୟୋଜନ କରାଯିବ ନାହିଁ ଯାହାଦ୍ୱାରା କୌଣସି ଦଳକୁ ବିଶେଷ ଲାଭ ହେବ। ସରକାରୀ ଘୋଷଣା, ଉଦ୍ଘାଟନ, ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଭଳି ସମସ୍ତ କାର୍ଯ୍ୟକ୍ରମ ସଂଗଠିତ ହୋଇପାରିବ ନାହିଁ । ରାଜନୈତିକ ଦଳ ଗୁଡ଼ିକୁ ସଭା କିମ୍ବା ରାଲି କରିବା ପାଇଁ ପୋଲିସ୍ ଅନୁମତି ନେବାକୁ ପଡ଼ିବ।
ମନ୍ଦିର, ମସଜିଦ, ଗୁରୁଦ୍ୱାର କିମ୍ବା ଅନ୍ୟ କୌଣସି ଧାର୍ମିକ ସ୍ଥାନକୁ କୌଣସି ରାଜନୈତିକ କାର୍ଯ୍ୟ କିମ୍ବା ରାଜନୈତିକ ସମାବେଶରେ ବ୍ୟବହାର କରାଯାଇପାରିବ ନାହିଁ। ଥରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେଲେ ସରକାର କୌଣସି ସରକାରୀ କର୍ମଚାରୀଙ୍କୁ ସ୍ଥାନାନ୍ତର କରିପାରିବେ ନାହିଁ କିମ୍ବା ତାଙ୍କୁ କୌଣସି ପଦବୀ ଦେଇପାରିବେ ନାହିଁ। ଯଦି ପ୍ରକୃତରେ ଜଣେ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ଆବଶ୍ୟକ ତେବେ ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ଅନୁମତି ନେବାକୁ ପଡିବ।
ସଭା ଆୟୋଜନ କରିବା, ଏକ ଶୋଭାଯାତ୍ରା କରିବା ଏବଂ କୌଣସି ସାର୍ବଜନୀନ କିମ୍ବା ବେସରକାରୀ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାର କରିବା ପୂର୍ବରୁ ସ୍ଥାନୀୟ ପୋଲିସ ଅଧିକାରୀଙ୍କଠାରୁ ଲିଖିତ ଅନୁମତି ପାଇବା ଆବଶ୍ୟକ । ରାତି ୧୦ ଟାରୁ ସକାଳ ୬ ଟା ମଧ୍ୟରେ ଲାଉଡ ସ୍ପିକର ବ୍ୟବହାର କରାଯାଇପାରିବ ନାହିଁ ।
ନିୟମ ପାଳନ ନକଲେ?
ଯଦି କୌଣସି ରାଜନୈତିକ ଦଳ କିମ୍ବା ଏହାର ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ କରନ୍ତି ତେବେ ଦଳ କିମ୍ବା ପ୍ରାର୍ଥୀଙ୍କୁ ପ୍ରଚାର କରିବାକୁ ବାରଣ କରାଯାଇପାରେ କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ବାରଣ କରାଯାଇପାରେ। କେବଳ ଏତିକି ନୁହେଁ, ଆବଶ୍ୟକ ହେଲେ ପ୍ରାର୍ଥୀଙ୍କ ବିରୋଧରେ ଏକ ଅପରାଧିକ ମାମଲା ମଧ୍ୟ ଦାଖଲ ହୋଇପାରିବ ଏବଂ ଏପରି ଲୋକଙ୍କୁ ଜେଲ ହେବାର ବ୍ୟବସ୍ଥା ମଧ୍ୟ ଅଛି ।
ସାଧାରଣ ଲୋକଙ୍କ ପାଇଁ ଆଦର୍ଶ ଆଚରଣ ବିଧି ମଧ୍ୟ ପ୍ରଯୁଜ୍ୟ ଅଟେ
ମଡେଲ ଆଚରଣ ସଂହିତା କେବଳ ଦଳ ପ୍ରାର୍ଥୀ ଏବଂ ରାଜନୈତିକ ଦଳ ପାଇଁ ସୀମିତ ନୁହେଁ । ବାସ୍ତବରେ ଏଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏହାର ଅର୍ଥ ଯଦି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ତାଙ୍କ ରାଜନୈତିକ ନେତାଙ୍କ ପାଇଁ ପ୍ରଚାର କରୁଛନ୍ତି, ତେବେ ତାଙ୍କୁ ମଧ୍ୟ ଏହି ନିୟମ ମାନିବାକୁ ପଡ଼ିବ।
ଯଦି କୌଣସି ରାଜନେତା ଉପରୋକ୍ତ ନିୟମକୁ ଅବମାନନା କରି ଲାକଙ୍କୁ କିଛି କରିବାକୁ କୁହନ୍ତି, ତେବେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବାର ସମସ୍ତ ଅଧିକାର ଏକ ସାଧାରଣ ବ୍ୟକ୍ତି ପାଖରେ ଅଛି । ସେମାନେ ତାଙ୍କୁ ନୀତି ଏବଂ ନିୟମ ବିଷୟରେ କହିବେ । ଯଦି ପ୍ରଚାର ସମୟରେ କେହି ନିୟମ ପାଳନ କରୁନାହାଁନ୍ତି, ତେବେ ତାଙ୍କୁ ଜେଲ ମଧ୍ୟ ହୋଇପାରେ ।