ଭୁବନେଶ୍ୱର : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସମଗ୍ର ବିଶ୍ୱରେ ମାୟୋପିଆ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱରେ 40 କୋଟିରୁ ଅଧିକ ଲୋକ ଏହି ରୋଗର ଶିକାର। କେବଳ ଏତିକି ନୁହେଁ, ଅନୁସନ୍ଧାନରୁ ଜଣାପଡିଛି ଯେ 2050 ସୁଦ୍ଧା ମାୟୋପିଆ ରୋଗୀଙ୍କ ସଂଖ୍ୟା 500 କୋଟିକୁ ବୃଦ୍ଧି ପାଇପାରେ, ଯେଉଁମାନଙ୍କ ମଧ୍ୟରେ ପ୍ରାୟ 10% ରୋଗୀ ଦୃଷ୍ଟିହୀନତାର ସର୍ବାଧିକ ବିପଦରେ ପଡ଼ିପାରନ୍ତି। ତେବେ ଆଖିରେ ଦେଖାଯାଉଥିବା ଏହି ରୋଗ କଣ, କାହିଁକି ହୁଏ ଏବଂ କିପରି ଏଥିରୁ ରକ୍ଷା ପାଇବେ, ଜାଣନ୍ତୁ…
ମାୟୋପିଆ କଣ
ମାୟୋପିଆକୁ ନିକଟ ଦୃଷ୍ଟିଦୋଷ ବା ସମୀପ ଦୃଷ୍ଟିଦୋଷ ବୋଲି କୁହାଯାଏ। ଆଖିରେ ଏହି ସମସ୍ୟା ହେଲେ ଜଣେ ବ୍ୟକ୍ତି ନିକଟରେ ଥିବା ଜିନିଷ କିମ୍ବା ଅକ୍ଷର ଦେଖିପାରନ୍ତି, କିନ୍ତୁ ଦୂରରେ ଥିବା ଜିନିଷ ଦେଖିବାରେ ଅସମର୍ଥ ହୁଅନ୍ତି। ଦୂରରେ ଥିବା ଜିନିଷ ଦେଖାଗଲେ ମଧ୍ୟ ଅସ୍ପଷ୍ଟ ଭାବେ ଦୃଷ୍ୟମାନ ହୁଏ।
ମାୟୋପିଆରେ, ଆଖି ପିତ୍ତୁଳା(ଆଖି ବଲ୍)ର ଆକାର ବଢିଯାଏ, ଯେଉଁ କାରଣରୁ ଆଲୋକ ଆଖିରେ ପ୍ରବେଶ କରିବା ସମୟରେ, ରେଟିନା ଉପରେ କେନ୍ଦ୍ରିତ ହେବା ପରିବର୍ତ୍ତେ ରେଟିନାଠାରୁ ଟିକେ ଆଗରେ କେନ୍ଦ୍ରିତ ହୋଇଥାଏ। ଫଳସ୍ୱରୂପ, ଦୃଷ୍ଟିଶକ୍ତି ଅସ୍ପଷ୍ଟ ହୋଇଯାଏ। ଯେତେବେଳେ ମାୟୋପିଆର ଅବସ୍ଥା ଗୁରୁତର ହୁଏ, ମୋତିଆବିନ୍ଦୁ ଏବଂ ଗ୍ଲୁକୋମା ଭଳି ରୋଗ ହେବାର ଆଶଙ୍କା ବଢିଯାଏ। ମାୟୋପିଆ ସାଧାରଣତଃ ଧୀରେ ଧୀରେ ବିକଶିତ ହୁଏ। କିନ୍ତୁ ଏହା ପିଲାମାନଙ୍କଠାରେ ବହୁତ ଶୀଘ୍ର ବଢିଥାଏ।
ମାୟୋପିଆର କାରଣ
ମାୟୋପିଆର ଅନେକ କାରଣ ରହିଛି। ସେଥିମଧ୍ୟରୁ ପରିବର୍ତ୍ତିତ ଜୀବନଶୈଳୀ ଅନ୍ୟତମ। ଅର୍ଥାତ୍ ବର୍ତ୍ତମାନ ସମୟରେ ସ୍କ୍ରିନରେ ଅଧିକ ସମୟ ବିତାଇବା, ଅର୍ଥାତ୍ ମୋବାଇଲ୍, ଲାପଟପ୍, କମ୍ପ୍ୟୁଟର୍ ଏବଂ ଟିଭିର ବହୁଳ ବ୍ୟବହାର ଆଖି ଉପରେ କୁପ୍ରଭାବ ପକାଉଛି। ଏହା ବ୍ୟତୀତ ବଂଶଗତ କାରଣରୁ, ମଦ୍ୟପାନ ଏବଂ ସିଗାରେଟ୍ ଅଭ୍ୟାସ, ପ୍ରାକୃତିକ ଆଲୋକରେ କମ୍ ସମୟ ବିତାଇବା ଆଦି ମାୟୋପିଆର କାରଣ ହୋଇଥାଏ।
ମାୟୋପିଆର ଲକ୍ଷଣ
ଅନ୍ୟ ରୋଗ ପରି, ମାୟୋପିଆର ମଧ୍ୟ କିଛି ନିର୍ଦ୍ଦିଷ୍ଟ ଲକ୍ଷଣ ଥାଏ, ସେଗୁଡିକ ହେଉଛି…
ଦୂର ବସ୍ତୁଗୁଡ଼ିକ ଅସ୍ପଷ୍ଟ ଦେଖାଯିବା।
ଆଖି ପିତ୍ତୁଳାର ଲମ୍ବ ବୃଦ୍ଧି ପାଇବା।
ବାରମ୍ବାର ଆଖି ଘଷିବା।
ଟିଭି ପାଖରେ ବସି ଦେଖିବା।
ବହି ପଢିବା ବେଳେ ଅତି ନିକଟରୁ ଦେଖିବା।
ଆଖି ଉପରେ ଅତ୍ୟଧିକ ଚାପ ଯୋଗୁଁ ମୁଣ୍ଡବିନ୍ଧା।
ଗାଡି ଚଳାଇବାରେ ଅସୁବିଧା (ବିଶେଷକରି ରାତିରେ)।
ସ୍ପଷ୍ଟ ଦେଖିବା ପାଇଁ କିଛି ସମୟ ଆଖି ବନ୍ଦ କରିବା କିମ୍ବା ବନ୍ଦ ରଖିବା।
ମାୟୋପିଆର ନିରାକରଣ
ମାୟୋପିଆ ନିରାକରଣ ପାଇଁ ଅନେକ ପଦ୍ଧତି ବ୍ୟବହୃତ ହୁଏ। ପରୀକ୍ଷଣ ସମୟରେ ଚକ୍ଷୁ ବିଶେଷଜ୍ଞମାନେ ଆଲୋକ କିପରି ରେଟିନା ଉପରେ କେନ୍ଦ୍ରୀତ ହେଉଛି ତାହା ମାପ କରନ୍ତି। ପରୀକ୍ଷା କରି ଡାକ୍ତରମାନେ ଉପଯୁକ୍ତ ଲେନ୍ସ ବ୍ୟବହାର ପାଇଁ ପରାମର୍ଶ ଦିଅନ୍ତି।