କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଆଣିଥିବା ଅଭିଯୋଗକାରୀଙ୍କ ପାଇଁ ବଢ଼ିଲା ଅଡୁଆ । ଅଭିଯୋଗ ଅମୂୂଳକ ବୋଲି ଭୁବନେଶ୍ୱର ଡିସିପି ଜଣାଇବା ପରେ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏପରି ଏତଲା ଦେବା ପଛରେ ଯଦି କିଛି କାରଣ ରହିଥିବ ତାହା ଖୋଜି ବାହାର କରିବାକୁ କହିଛନ୍ତି । ଏଥିସହ ଯଦି କୌଣସି ବ୍ୟକ୍ତି ନିଜ କାର୍ଯ୍ୟସାଧନ ପ୍ରଣାଳୀ ଭାବେ ଏଭଳି ଏତଲା ପଞ୍ଜୀକରଣକୁ ବ୍ୟବହାର କରିଥାନ୍ତି, ତେବେ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି କହିଛନ୍ତି ।
୨୦୨୨ ଜୁଲାଇ ୧ରେ ନୀଳାଦ୍ରୀବିହାରସ୍ଥିତ ସହରାଞ୍ଚଳ ବାସଶୂନ୍ୟଙ୍କ ଆଶ୍ରୟସ୍ଥଳୀରେ ବର୍ଷା ଜାତି ନେଇ ଆବେଦନକାରୀ ଯୁବତୀଙ୍କୁ ଗାଳି ଦେବା ସହିତ, ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା । ବର୍ଷାଙ୍କ ସହିତ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଯୁବତୀଙ୍କୁ ଆକ୍ରମଣ କରିବା ସହିତ ଅସଦାଚରଣ କରିଥିଲେ ବୋଲି ମଧ୍ୟ ଅଭିଯୋଗ କରିଥିଲେ । ଏନେଇ ସେହିଦିନ ଚନ୍ଦ୍ରଶେଖରପୁର ଥାନାରେ ଯୁବତୀ ଜଣଙ୍କ ଏତଲା ଦେଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରିନଥିଲା । ତାପରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ କରି ଯୁବତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।