ଭୁବନେଶ୍ବର: ଜଳୁଛି ପଶ୍ଚିମ ଓଡ଼ିଶା, ଉପକୂଳରେ ଗୁଳୁଗୁଳି କରୁଛି ଅସ୍ତବ୍ୟସ୍ତ। ଦିନ ସାଢ଼େ ୧୧ଟା ସୁଦ୍ଧା ୪୧.୨ ଡିଗ୍ରି ସହ ଉତ୍ତପ୍ତ ସହର ଝାରସୁଗୁଡ଼ା। ସମ୍ବଲପୁରରେ ୪୦.୬ ଡିଗ୍ରି ଓ ହୀରାକୁଦରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ। ଭୁବନେଶ୍ବରରେ ତାତି ୩୭.୨ ଡିଗ୍ରି, ଆର୍ଦ୍ରତା ୬୦ ପ୍ରତିଶତ। ହେଲେ ଗୁଳୁଗୁଳି ପାଇଁ ଅନୁଭୂତ ତାତି ବା ହିଟ୍ ଇଣ୍ଡେକ୍ସ ୫୨ଡିଗ୍ରି ସେଲସିଅସ୍। ରାଜ୍ୟରେ ଉପର ମୁହାଁ ତାତି। ସକାଳୁ ସକାଳୁ ଖରା ଗରମ। ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟା ବାଜୁ ବାଜୁ ରାସ୍ତାଘାଟ ଶୂନ୍ଶାନ୍, ଅଘୋଷିତ କର୍ଫ୍ୟୁ। ଆହୁରି ୬ ରୁ ୭ ଦିନ ଯାଏଁ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଉଷ୍ଣରାତ୍ରି ହେବାର ଆଶଙ୍କା ଥିବାରୁ ଆଜି ପାଇଁ ଝାରସୁଗୁଡ଼ା, ସମ୍ୱଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କେବଳ କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରକୁ ଛାଡ଼ି ବାକି ୨୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।










