29.1 C
Bhubaneswar
Saturday, July 27, 2024
Homeଖେଳୱେଲିଂଟନ୍ ଟେଷ୍ଟ୍‌: ଗ୍ରୀନ୍‌ଙ୍କ ଶତକ; ପ୍ରଥମ ଦିନ ଅଷ୍ଟ୍ରେଲିଆ ୨୭୯/୯

ୱେଲିଂଟନ୍ ଟେଷ୍ଟ୍‌: ଗ୍ରୀନ୍‌ଙ୍କ ଶତକ; ପ୍ରଥମ ଦିନ ଅଷ୍ଟ୍ରେଲିଆ ୨୭୯/୯

ୱେଲିଂଟନ: ୱେଲିଂଟନ୍‌ର ବେସନ୍ ରିଜର୍ଭରେ ଗୁରୁବାରଠାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହୋଇଛି । ପ୍ରଥମ ଦିନର ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ କାମେରନ୍ ଗ୍ରୀନ୍‌ଙ୍କ ଅପରାଜିତ ଶତକ ସହାୟତାରେ ୯ ୱିକେଟ୍ ହରାଇ ୨୭୯ ରନ୍ କରିଛି । ଷ୍ଟମ୍ପ୍ସ ବେଳକୁ ଗ୍ରୀନ୍ ୧୦୩ ରନ୍ ଏବଂ ଜୋଶ୍ ହେଜଲ୍‌ଉଡ୍ ଖାତା ନଖୋଲି ବ୍ୟାଟିଂ କରୁଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପକ୍ଷରୁ ଉସ୍‌ମାନ୍ ଖ୍ୱାଜା ଓ ଷ୍ଟିଭ ସ୍ମିଥ୍ ସତର୍କତାର ସହ ଇନିଂସ୍ ଓପନ୍ କରି ପ୍ରଥମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ । ସ୍ମିଥ୍ ୩୧ ରନ୍‌ରେ ମ୍ୟାଟ୍ ହେନରୀଙ୍କ ଶିକାର ହେବା ପରେ ମାର୍ନସ୍ ଲାବୁସେନ୍ ଏକ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ଖ୍ୱାଜା ମଧ୍ୟ ବେଶୀ ସମୟ ତିଷ୍ଠିପାରି ନଥିଲେ ଏବଂ ୩୩ ରନ୍‌ର ବ୍ୟକ୍ତିଗତ ସ୍କୋର୍‌ରେ ହେନରୀଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ଏହାପରେ ଟ୍ରାଭିସ୍ ହେଡ୍ ମଧ୍ୟ ଏକ ରନ୍ କରି ୱିକେଟ୍ ପଛରେ ଧରାପଡ଼ିଥିଲେ ।

୮୯ ରନ୍‌ରେ ୪ ୱିକେଟ୍ ହରାଇବା ପରେ କାମେରନ୍ ଗ୍ରୀନ୍ ଓ ମିଚେଲ୍ ମାର୍ଶ ଇନିଂସ୍ ସମ୍ଭାଳି ସ୍କୋର୍ ୧୦୦ ରନ୍ ପାର୍ କରାଇବା ସହ ୫ମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ । ମାର୍ଶ ୪୦ ରନ୍ କରି ଆଉଟ୍ ହେବାପରେ ଉଭୟଙ୍କ ମଧ୍ୟରେ ୬୭ ରନ୍‌ର ଭାଗୀଦାରି ଭାଙ୍ଗିଥିଲା । ତୃତୀୟ ସେସନ୍‌ରେ ଆଲେକ୍ସ କେରୀ ୧୦, ମିଚେଲ୍ ଷ୍ଟାର୍କ ୯, ପ୍ୟାଟ୍ କମିନ୍ସ ୧୬ ଏବଂ ନାଥନ ଲିଓନ୍ ୫ ରନ୍ କରି ଆଉଟ୍ ହୋଇଥିଲେ । ମାତ୍ର ଗ୍ରୀନ୍ କ୍ରିଜ୍‌ରେ ତିଷ୍ଠିରହି ଅର୍ଦ୍ଧଶତକ ପୂରଣ କରିବା ସହ ଟିମ୍ ସ୍କୋର୍ ୨୦୦ ରନ୍ ପାର୍ କରାଇଥିଲେ । ପୁଣି ଦିନର ଖେଳ ଶେଷ ହେବା ପୂର୍ବରୁ କ୍ୟାରିୟର୍‌ର ଦ୍ୱିତୀୟ ଶତକ ହାସଲ ସହ ଟିମ୍‌କୁ ଏକ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନ୍‌ରୀ ସର୍ବାଧିକ ୪ଟି ୱିକେଟ୍ ହାସଲ କରିଥିବା ବେଳେ ୱଲିୟମ୍ ଓ’ରୁର୍କ ଓ ସ୍କଟ୍ କୁଗ୍‌ଲେଜନ୍‌ଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା । ରଚିନ୍ ରବୀନ୍ଦ୍ର ଗୋଟିଏ ୱିକେଟ୍ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking