ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଅଞ୍ଚଳ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଜାରି ହୋଇଥିବା ସତର୍କ ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୧୫ ଜିଲ୍ଲାରେ ପ୍ରବଳ ବର୍ଷାର (୭ରୁ ୧୧ ସେମି) ସମ୍ଭାବନା ରହିଛି । ସେଥିପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆକାଶ ଆଂଶିକ ମେଘାଛନ୍ନ ରହିବା ସହ ମଧ୍ୟମ ବର୍ଷା ହେବାର ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ।
ରବିବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜ୍ୟର ମାତ୍ର ୧୩ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ସେଥିରୁ ପାରଳାଖେମୁଣ୍ଡିରେ ସର୍ବାଧିକ ୨୨.୮ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ନୟାଗଡରେ ୧୬.୫ମିମି, ନବରଙ୍ଗପୁରରେ ୧୬.୨ମିମି, ତାଳଚେରରେ ୧୨ମିମି ଏବଂ ବାରପଦା ଏବଂ ନୂଆପଡାରେ ୮.୨ମିମି ବର୍ଷା ରେକର୍ଡ କରାଯାଇଛି । ପୂର୍ବ ଘୋଷଣା ଅନୁଯାୟୀ ରବିବାର ଖୋଲାଯାଇଛି ହୀରାକୁଦ ଡ୍ୟାମ୍ର ୫ଟି ଗେଟ୍ । ପୂଜାର୍ଚ୍ଚନା ପରେ ସକାଳ ୯ଟାରେ ପ୍ରଥମେ ଡ୍ୟାମ୍ର ୭ ନମ୍ବର ସ୍ଲୁଇସ୍ ଗେଟ୍କୁ ଖୋଲାଯାଇଥିଲା । ତା’ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଏହାର ଜଳପତ୍ତନ ୬୧୪.୮୭ ଫୁଟ ରହିଛି । ଜୁଲାଇ ୩୧ ତାରିଖ ସୁଦ୍ଧା ଜଳଭଣ୍ଡାରର ଜଳପତ୍ତନ ୬୦୫ ଫୁଟ୍ ରଖିବାକୁ ନିଷ୍ପତ୍ତି ହୋଇଛି । ସେକେଣ୍ଡ ପ୍ରତି ୭୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ଗତ ଶୁକ୍ରବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୧୩.୫୮ଫୁଟ୍ରେ ପହଞ୍ôଚଥିବା ବେଳେ ଶନିବାର ଏହି ସମୟରେ ଜଳସ୍ତର ୬୧୪.୪୩ ଫୁଟ୍ରେ ପହଞ୍ôଚଥିଲା । ଏହି ସମୟରେ ଜଳଭଣ୍ଡାରକୁ ୬୪,୮୦୦ କ୍ୟୁସେକ୍ ଜଳପ୍ରବେଶ କରୁଥିବା ବେଳେ ୪୦,୭୨୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା । ସେଥିରୁ ୩୭,୩୭୮ କ୍ୟୁସେକ୍ ଜଳ ପାୱାର ଚାନେଲ ଦେଇ ମହାନଦୀରେ ନିଷ୍କାସିତ ହେଉଥିବା ବେଳେ ୩୦୭୩ କ୍ୟୁସେକ୍ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ଛଡ଼ାଯାଇଛି । ଆଜି ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଛି । ଗତ ବର୍ଷ ୧୮ ଜୁଲାଇରେ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍ ରହିଥିଲା ।