ଭୁୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନରେ ବିଳମ୍ବ କାରଣରୁ ପ୍ରବଳ ଖରା ଏବଂ ଗରମ ଅନୁଭୂତ ହେଉଛି । ଭୀଷଣ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ସହିତ ତତଲା ପବନ ଲୋକଙ୍କୁ କଲବଲ କରୁଛି । ରଜ ପାଖେଇ ଆସୁଥିବା ବେଳେ ମୌସୁମୀ ଓଡ଼ିଶା ଛୁଇଁ ନାହିଁ । ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ବେଳେ ପୂରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ତିନି/ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାପମାତ୍ରା ସାମାନ୍ୟ ତଳକୁ ଖସିବାର ସମ୍ଭାବନା ରହିଛି । ରାଜ୍ୟର ଅନେକ ଅଞ୍ଚଳରେ ଏବେ ସ୍ୱାଭାବିକ ଠାରୁ ଢେର ଅଧିକ ଗ୍ରୀଷ୍ମପ୍ରବାହ ହେଉଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନର ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ବଲାଙ୍ଗିର ଓ ବରଗଡ଼ରେ ରେକର୍ଡ ହୋଇଛି । ଏଥି ସହିତ ରାଜ୍ୟର ୩୦ ସହରର ତାପମାତ୍ରା ୪୦ଂ ଉପରେ ରହିଛି । ସେଥିରୁ ଝାରସୁଗୁଡ଼ାରେ ଆଜି ଦିନର ତାପମାତ୍ରା ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ସୋନପୁରରେ ୪୪.୩, ସମ୍ବଲପୁରରେ ୪୩.୬, ବୌଦ୍ଧରେ ୪୩.୫, ହୀରାକୁଦରେ ୪୩.୧, ସୁନ୍ଦରଗଡ଼, ଭବାନୀପାଟଣା, ଟିଟିଲାଗଡ଼ରେ ୪୩, ଅନୁଗୁଳରେ ୪୨.୯, ଦେବଗଡ଼ରେ ୪୨.୮, ଭୁବନେଶ୍ୱରରେ ୪୨.୬, ରାଉରକେଲା, ବ୍ରହ୍ମପୁରରେ ୪୨.୫, ପାରଳାଖେମୁଣ୍ଡିରେ ୪୨, ଢେଙ୍କାନାଳରେ ୪୧.୮, ବାରିପଦା, କଟକରେ ୪୧.୬, ନୟାଗଡ଼ରେ ୪୧.୫, ତାଳଚେର, ନୂଆପଡ଼ାରେ ୪୧.୪, କେନ୍ଦୁଝର, କେନ୍ଦ୍ରାପଡ଼ା, ଫୁଲବାଣୀରେ ୪୧, ନବରଙ୍ଗପୁର, ମାଲକାନଗିରିରେ ୪୦.୫, ଯାଜପୁର, ଚାନ୍ଦବାଲି ଓ ଛତ୍ରପୁରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ଆଗାମୀ ୩ ଦିନ ଅର୍ଥାତ ୧୪ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ପକ୍ଷରୁ ମଧ୍ୟ ପୂର୍ବାନୂମାନ କରାଯାଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ସ୍ୱାଭାବିକଠୁ ୬ ରୁ ୭ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କାଳବୈଶାଖୀର ପ୍ରଭାବ ବିଶେଷ ନଥିବାରୁ ତାପମାତ୍ରା ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ପ୍ରାକ ମୌସୁମୀ ବର୍ଷାର ଅଭାବ ପାଇଁ ମଧ୍ୟ ତାପମାତ୍ରା ଜୁନ ମାସରେ ଅଧିକ ରହିଛି । ଆରବ ସାଗରରେ ଥିବା ବାତ୍ୟା ବିପର୍ଯ୍ୟୟ ଉପକୂଳ ମୁହାଁ ହେଲେ ଜଳୀୟବାଷ୍ପ କିଛି ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ସେପରି ହେଲେ ରାଜ୍ୟରେ ସାମାନ୍ୟ ତାପମାତ୍ରା ପରିବର୍ତ୍ତନ ହୋଇପାରେ । ଉପକୂଳରେ ଦିନ ସମୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି, ଯାହା ଫଳରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି । ତାମିଲନାଡୁ, କର୍ଣ୍ଣାଟକ ଭଳି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେଉଛି । ଓଡ଼ିଶା ଛୁଇଁବା ନେଇ କୌଣସି ଆକଳନ ଜାରି କରାଯାଇନାହିଁ ।