ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ସବୁ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା । ଫୁଲବାଣୀ ଠାରେ ସର୍ବନିମ୍ନ ୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ି ଏବଂ ଜି ଉଦୟଗିରିରେ ମଧ୍ୟ ୮.୦ ଡିଗ୍ରୀ ରହିଥିଲା ତାପମାତ୍ରା । ସେହିଭଳି ଭୁବନେଶ୍ୱର ଏବଂ କଟକର ସହରର ତାପମାତ୍ରା ରହିଥିଲା ୧୪.୦ । ଅର୍ଥାତ୍ ଟ୍ୱିନ୍ ସିଟିରେ ପୂର୍ବ ୨୪ ଘଣ୍ଟା ତୁଳନାରେ ତାପମାତ୍ରା ୧ ଡିଗ୍ରୀ ବଢ଼ିଛି । ତଥାପି ରାଜଧାନୀର ତାପମାତ୍ରା ସ୍ୱାଭାବିକ ଠାରୁ ୫ ଡିଗ୍ରୀ କମ୍ ରହିଛି ।
୧୬ ଏବଂ ୧୭ ତାରିଖରେ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବାକୁ ଥିବାବେଳେ ୧୮ରୁ ବର୍ଷା ହେବାର ସମ୍ଭାବନା ଅଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଏହି ବର୍ଷାହେବ । ୧୮ରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା ହେବାର ଥିବାବେଳେ ୧୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ହାଲୁକା ବର୍ଷା ସହ ଘଡ଼ଘଡ଼ିର ଆଶଙ୍କା ରହିଛି । ଅନ୍ୟ ଜିଲ୍ଲାମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗ କହିଛି ।