ଭୁବନେଶ୍ୱର: ପଶ୍ଚିମା ଝଡ଼ ଆଗମନର ଆଶଙ୍କା ତଥା ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଅତ୍ୟଧିକ ମାତ୍ରାରେ ପ୍ରବେଶ କରୁଥିବା ଉଷ୍ମ-ଜଳୀୟବାଷ୍ପର ପ୍ରଭାବରେ ଆସନ୍ତା ଫେବୃଆରୀ ୩ରୁ ୪ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତର ସମ୍ଭାବନା ରହିଛି। ଏହି ପଶ୍ଚିମା ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ମଧ୍ୟ ରହିଛି ।
ଫେବୃଆରୀ ୪ରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଯେଉଁଥିପାଇଁ କୃଷିକାର୍ଯ୍ୟ ଉପରେ ବ୍ୟାପକ ପ୍ରଭାବ ପଡ଼ିବ ।
ଏହି ସକାଶେ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି ପାଣିପାଗ ବିଭାଗ । ଅମଳ ଉପଯୋଗୀ ହରଡ଼, ବନ୍ଧାକୋବି, ଫୁଲକୋବି ତଥା ଅନ୍ୟାନ୍ୟ ପନିପରିବାକୁ ୩ ଫେବୃଆରୀ ପୂର୍ବରୁ ଅମଳ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ କୁହାଯାଇଛି । ସେହିଭଳି ଶୀତଦିନିଆ ଡାଲି ଜାତୀୟ ବିହନ(ମୁଗ,ବିରି ପ୍ରଭୃତି) ଏବଂ ତୈଳବିହନ ବୁଣା ବୁଣି ଆଗକୁ ଏକ ସପ୍ତାହ ସାମୟିକ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି । ଟମାଟ, ଲଙ୍କା, ପିଆଜ, କୋବି ଆଦି ପରିବାକୁ ପଲିଥିନ ଦ୍ୱାରା ଆଚ୍ଛାଦିତ କରିବା ସାଙ୍ଗକୁ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ନାଳି ବ୍ୟବସ୍ଥା କରିବାକୁ ଚାଷୀଙ୍କୁ କୁହାଯାଇଛି ।
ସେହିଭଳି ଆଜିଠାରୁ ସାମୟିକ ସାର, କୀଟନାଶକ ପ୍ରୟୋଗ ଓ ଜଳସେଚନ ସ୍ଥଗିତ ରଖିବାକୁ ମଧ୍ୟ ଚାଷୀଙ୍କୁ ପାଣିପାଗ ବିଭାଗ ଜଣାଇଛି। ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଆଜି ଜିଲ୍ଲାପାଇଁ ବର୍ଷା ସକାଶେ ଆଗୁଆ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଗକୁ କୁହୁଡ଼ିର ପ୍ରଭାବ ଜାରି ରହିବାକୁ ଥିବାବେଳେ ରାତ୍ରି ତାପମାତ୍ରା ଆଗାମୀ ୩ରୁ ୪ ଦିନ ମଧ୍ୟରେ ୩ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।