ଭୁବନେଶ୍ୱର: ବାୟୁମଣ୍ଡଳରେ ପ୍ରଚୁର ଜଳୀୟବାଷ୍ପର ଉପସ୍ଥିତି, ବାୟୁମଣ୍ଡଳର ସ୍ଥିରତା ଏବଂ ନିର୍ମଳ ଆକାଶ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଘନ କୁହୁଡି଼ ଦୃଶ୍ୟମାନ ହେଉଛି ଏବଂ ଶୀତର ପ୍ରକୋପ ମଧ୍ୟ ବଢ଼ିଛି । ଆଗାମୀ ୨୪ ଘଣ୍ଟାରେ ସମାନ ସ୍ଥିତି ଜାରି ରହିବା ସହ ଘନ କୁହୁଡ଼ି ସମ୍ଭାବନା ଥିବାରୁ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ ଓ କଳାହାଣ୍ଡି । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା ।
ସୋନପୁର ଏବଂ ପାରଳାଖେମୁଣ୍ଡୀରେ ଆଜି ସକାଳେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା । ତାପମାତ୍ରା କଥା ଦେଖିଲେ, ଗତ ୨୪ ଘଣ୍ଟାରେ କେନ୍ଦୁଝର ଠାରେ ସର୍ବନିମ୍ନ ୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ହିଲଷ୍ଟେସନରେ ୯.୦ ଡିଗ୍ରୀ, କିରେଇରେ ୯.୭ ଡିଗ୍ରୀ, ଝାରସୁଗୁଡ଼ାରେ ୯.୮ ଡିଗ୍ରୀ, ଫୁଲବାଣୀରେ ୧୦.୦ ଡିଗ୍ରୀ, ରାଣୀତାଲରେ ୧୦.୨ ଡିଗ୍ରୀ, ଟିଟିଲାଗଡ଼ରେ ୧୦.୩ ଡିଗ୍ରୀ, ବାରିପଦାରେ ୧୦.୫ ଡିଗ୍ରୀ, ଜି ଉଦୟଗିରିରରେ ୧୦.୬ ଡିଗ୍ରୀ, ଚାନ୍ଦବାଲିରେ ୧୦.୮ ଡିଗ୍ରୀ, ସୋନପୁର ଏବଂ ନୟାଗଡ଼ରେ ୧୧.୦ ଡିଗ୍ରୀ ଲେଖାଏଁ ରେକର୍ଡ଼ ହୋଇଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୧୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ମାଲକାନଗିରିରେ ତାପମାତ୍ରା ସର୍ବାଧିକ ୨୭.୦ ଡିଗ୍ରୀ ରହିଥିଲା । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମ୍ ଅଛି । ଆଗାମୀ ୨ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।
ତେବେ ୨୧ ଏବଂ ୨୨ ତାରିଖ ବେଳକୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ । ୨୧ରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରେ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୨୨ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ । ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ପରବର୍ତ୍ତୀ ୩ ଦିନରେ ରାତ୍ରି ତାପମାତ୍ରା ସମ୍ଭାବ୍ୟ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୩ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।