16.1 C
Bhubaneswar
Friday, January 17, 2025
Homeଓଡିଶାଦେଶବ୍ୟାପୀ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଓଡ଼ିଶା ସମେତ ୫ ରାଜ୍ୟକୁ ଅରେଞ୍ଜ୍ ଆଲର୍ଟ: ଆଇଏମ୍‌ଡି

ଦେଶବ୍ୟାପୀ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଓଡ଼ିଶା ସମେତ ୫ ରାଜ୍ୟକୁ ଅରେଞ୍ଜ୍ ଆଲର୍ଟ: ଆଇଏମ୍‌ଡି

ନୂଆଦିଲ୍ଲୀ: ବିଗତ କିଛିଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପରିଲକ୍ଷିତ ହେଉଛି । ଏକାଧିକ ସହରରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁଥିବାବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମ୍‌ଡି) ପକ୍ଷରୁ ଓଡ଼ିଶା ସମେତ ୫ ରାଜ୍ୟକୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଅନ୍ୟ ରାଜ୍ୟଗୁଡିକ ହେଲା ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଓ ଉତ୍ତର ପ୍ରଦେଶ । ଏହାବ୍ୟତୀତ ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝାଡ଼ଖଣ୍ଡ, ଗୁଜରାଟ ଓ ପଶ୍ଚିମବଙ୍ଗର ଆଭ୍ୟନ୍ତରୀଣ ଗାଙ୍ଗେୟ ଉପତ୍ୟକାର କେତେକ ସ୍ଥାନରେ ମଧ୍ୟ ତାପମାତ୍ରା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ଜଣାପଡିଛି । ବୁଧବାର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ରାଜସ୍ଥାନର ୭ଟି ଜିଲ୍ଲା ଯଥା ବନ୍‌ସୱାଡା, ବନସ୍ଥଳୀ, ଧୋଲପୁର, ବାଡ୍‌ମେର, ଯୋଧପୁର, ବିକାନେର ଓ କରାଉଲିରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ଜଣାପଡିଛି । ଏହି ସ୍ଥିତି ମେ’ ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ପ୍ରଚଣ୍ଡ ତାପମାତ୍ରା ଦିନକୁ ଦିନ ଅସହ୍ୟ ହୋଇପଡୁଥିବାରୁ ଏହି ରାଜ୍ୟଗୁଡିକରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସିି) ଓ ଏୟାର କୁଲର ଚାହିଦା ଆଶାତୀତଭାବେ ବୃଦ୍ଧି ପାଇଛି । ତେଣୁ ରାଜସ୍ଥାନ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ସରକାର ନିଜ ରାଜ୍ୟରେ ବିଦ୍ୟୁତ୍ କାଟ୍ ଲାଗୁ କରିସାରିଛନ୍ତି । ଅପରପକ୍ଷରେ ଜଳାଭାବ ଯୋଗୁଁ ଚାଷକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି ।

ବିଶେଷକରି ଉତ୍ତର ଭାରତର ଗହମ ଚାଷୀ ଏଥିରେ କ୍ଷତିଗ୍ରସ୍ତ ହେଉଥିବା କୁହାଯାଇଛି । ବର୍ତ୍ତମାନ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ୟୁକ୍ରେନ୍‌ରୁ ଗହମ ଆମଦାନୀ ହୋଇପାରୁନଥିବାରୁ ସରକାରଙ୍କୁ ଘରୋଇ ଉତ୍ପାଦନ ଉପରେ ନିର୍ଭର କରିବାକୁ ପଡୁଛି । ପଶ୍ଚିମାଞ୍ଚଳରେ ପାଣିପାଗର ପରିବର୍ତ୍ତନ ଘଟିଲେ, ମେ’ ୨ରୁ ସ୍ଥିତିରେ କିଛିଟା ଉନ୍ନତି ଘଟିବ ବୋଲି ଆଶା କରାଯାଉଛି । ମେ’ ୨ରୁ ୪ ପର୍ଯ୍ୟନ୍ତ ୱେଷ୍ଟର୍ଣ୍ଣ ହିମାଳୟ ଅଞ୍ଚଳରେ ସାମାନ୍ୟ ବର୍ଷା ସମ୍ଭାବନା ମଧ୍ୟ ରହିଛି । ବର୍ତ୍ତମାନ କୋଇଲାର ଘୋର ସଙ୍କଟ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେଉଛି । ଜମ୍ମୁ-କଶ୍ମୀରରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକାଧିକ ରାଜ୍ୟରେ ଲୋକଙ୍କୁ ଦୈନିକ ୩ରୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ର ସମ୍ମୁଖୀନ ହେବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking