ମୟୂରଭଞ୍ଜ: ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଜିଲ୍ଲା ଗଠନ ପାଇଁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଆରମ୍ଭ କରିଛନ୍ତି ସରକାରୀପ୍ରକ୍ରିୟା। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ପାଇଁ ଦାବି ହେଉଛି। ସେହିପରି ମୋରଡ଼ାକୁ ସବଡିଭିଜନ ମାନ୍ୟତାପ୍ରଦାନ କରାଯିବାକୁ ଦୃଢ଼ ଦାବି ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଭାରତବର୍ଷ ସହ ମୟୂରଭଞ୍ଜ ରାଜ୍ୟର ମିଶ୍ରଣ ପରେ ଓଡ଼ିଶାପ୍ରଦେଶରେ ସାମିଲ କରାଯାଇ ଜିଲ୍ଲାର ମାନ୍ୟତାପ୍ରଦାନ କରାଯାଇଛି।
ହେଲେ ରାଜଶାସନଅଧୀନରେ ବିକାଶ ଯୋଉଠି ଥିଲା ତାହା ଆଗକୁ ବଢ଼ିବାବଦଳରେ ଆଜିବି ସେଇଠି ଅଟକିଛି। ଯାହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଏହାବ୍ୟତୀତ ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ରେଳଡବା ଦେଖିବାରୁ ବଞ୍ଚିତ ପଞ୍ଚାପୀଢ଼ ଉପଖଣ୍ଡର ୫ ଟି ବ୍ଲକ ଓ ଗୋଟିଏ ଏନଏସି। ଏହାକୁ ନେଇ ପାଞ୍ଚପିଢ଼ ଜିଲ୍ଲା ଗଠନ ପାଇଁ ଓକିଲ ସଂଘ ଓ ସାମ୍ବାଦିକ ସଂଘ ପକ୍ଷରୁ ଦାବି ଯୋର ଧରୁଛି । ଆଉ ଏହି ଯୁକ୍ତିଯୁକ୍ତ ଦାବିକୁ ଅଞ୍ଚଳବାସୀଙ୍କ ପକ୍ଷରୁ ମଧ୍ୟ ବେଶ ସମର୍ଥନ ଜଣାଉଥିବା ଲକ୍ଷ୍ୟ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ହେଡକ୍ବାଟର ବାରିପଦା ଠାରୁ କରଞ୍ଜିଆ, ଠାକୁରମୁଣ୍ଡା, ଶୁକୃଳି, ରରୁଆଁ ଓ ଯଶିପୁର ବ୍ଲକର ଉପାନ୍ତ ଅଞ୍ଚଳର ଦୂରତା ବାରିପଦା-କଟକର ଦୂରତା ସହ ପ୍ରାୟ ସମାନ।
ଏପରିସ୍ଥଳେ ଜନସାଧାରଣ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ନିଜର ବ୍ୟକ୍ତିଗତ ହେଉକି ବିଭିନ୍ନ ସରକାରୀ କାର୍ଯ୍ୟରେ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡୁଥିବା ଯୋଗୁଁ ପାଞ୍ଚପୀଢ ଜିଲ୍ଲା ଗଠନ ହେଲେ ପ୍ରଶାସନ ଜନସାଧାରଣଙ୍କ ନିକଟତର ହୋଇପାରିବ ବୋଲି ଓକିଲ ସଂଘ ପକ୍ଷରୁ ଯୁକ୍ତି ଉପସ୍ଥାପିତ କରାଯାଇଛି। ଜିଲ୍ଲା ଗଠନ ଦାବିରେ ଓକିଲ ସଂଘର ସମ୍ମିଳନୀ କକ୍ଷରେ ଓକିଲମାନଙ୍କ ନିଷ୍ପତ୍ତି ପରେ ଆଜି ସାମ୍ବାଦିକ ସମ୍ମିଳନୀ ହୋଇଥିଲା | ଏହି ସମ୍ମିଳନୀ ଜରିଆରେ ପାଞ୍ଚପୀଢ ଉପଖଣ୍ଡକୁ ଜିଲ୍ଲା ଗଠନ ଦାବି ନେଇ ସାମ୍ବାଦିକଙ୍କ ସହଯୋଗ ଲୋଡିଥିଲେ ଯାହାକୁ ସାମ୍ୱାଦିକ ମାନଙ୍କ ପକ୍ଷରୁ ସମର୍ଥନ କରିଥିବା ଜଣାଯାଇଛି । ବୈଠକରେ ସାମ୍ବାଦିକ ଭଗବତ ଚନ୍ଦ୍ର ଦାସ, ପାର୍ଥ ପ୍ରଶନ୍ନ ମିଶ୍ର, ଜିତେନ୍ଦ୍ର ରାଜ, ବିଦ୍ୱେନ୍ଦୁଶେଖର, କାର୍ଣ୍ଣର୍ଜୁନ ସାହା, ସୁମନ୍ତ ପାତ୍ର, ଉମାଶଙ୍କର ଦାସ,ଅରୁଣ ବେହେରା, ଦୀନେଶ ଦାସ, ବିନ୍ଦୁସାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
୧୯୭୪ ମସିହାରେ ରାଜ୍ୟର ଜିଲ୍ଲା ପୁନର୍ଗଠନ କମିଶନଙ୍କ ତଥ୍ୟକୁ ଭିତ୍ତିକରି ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୩ ଗୋଟି ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିଥିଲେ । ଜିଲ୍ଲା ପୁନର୍ଗଠନ ସମୟରେ ମୟୁରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ବାଦ ପଡିଥିଲା । ବର୍ତମାନ ସ୍ଥିତିରେ ମୟୂରଭଂଜ ଜିଲ୍ଲାର ବିଶେଷ ଭାବେ ପାଂଚପିଢ ଉପଖଣ୍ଡବାସି ବିଭିନ୍ନ କାର୍ଯ୍ୟପାଇଁ ବାରିପଦା ଅଥବା ରାଇରଙ୍ଗପୁର ଉପରେ ନିର୍ଭରଶୀଳ । ଫଳରେ ଉପଖଣ୍ଡରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଦର୍ଶାଇ ଜିଲ୍ଲା ଗଠନ ଦାବି ଯୋର ଧରିଛି ।
ଓକିଲ ସଂଘ ପକ୍ଷରୁ ଅଗାମିଦିନରେ ଦାବି ପୂରଣ ପାଇଁ ଆବଶ୍ୟକ ହେଲେ ଜାତୀୟ ରାଜପଥ ଅବରୋଧ, ସରକାରୀ କାର୍ଯ୍ୟାଳୟକୁ ଅଚଳ କରାଯିବା ସହ ଅର୍ଥନୈତିକ ଅବରୋଧ ପାଇଁ ମିଳିତ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଉପଖଣ୍ଡର ସାମ୍ବାଦିକ ସଂଘ, ସ୍ବେଛାସେବୀ ଅନୁଷ୍ଠାନ, ଛାତ୍ର ସଂଘ, ଆଦିବାସୀ ସଂଗଠନ, ମହିଳା ସଂଗଠନ ମାନଙ୍କୁନେଇ ଦାବି ପୂରଣ ହେବା ପର୍ଯ୍ୟନ୍ତ ତୀବ୍ର ଆନ୍ଦୋଳନ ପାଇଁ ଘୋଷଣା କରାଯାଇଥିବା ଜଣାଯାଇଛି ।