ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ କଟକ ପରିବାର ଅଦାଲତରୁ ଝଟକା ପରେ, ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ତୁତୁ-ମେମେ । ଠାର ଠାରରେ ବର୍ଷାଙ୍କ ଚାପରେ ତାଙ୍କୁ ନ୍ୟାୟ ମିଳିଲାନି ବୋଲି ଅନୁଭବ ଲେଖିଥିବା ବେଳେ, ବର୍ଷା ଲେଖିଛନ୍ତି ଯେ, ଅନୁଭବଙ୍କ ଛାଡ଼ପତ୍ର ଆବେଦନର ହୀନ ଉଦ୍ଦେଶ୍ୟ ଧରାପଡ଼ିଛି । ସେପଟେ ଏହି ସେଲିବ୍ରିଟି କଳି ଆଗକୁ କେଉଁ ମୋଡ଼ ନେଉଛି, ତାକୁ ନେଇ ଦେଖାଦେଇଛି ଉତ୍ସୁକତା ।
ଅନୁଭବ ଲେଖିଲେ- ‘(ଭି) ଶସ୍ତା ଓ ହୀନ ରାଜନୀତି ବନାମ୍ (ଏ) ନ୍ୟାୟ’ । ବର୍ଷା ଲେଖିଲେ- ‘ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ଆବେଦନ ସଫଳ ହୁଏନି’ । ବହୁଚର୍ଚ୍ଚିତ ବର୍ଷା-ଅନୁଭବ ମାମଲାରେ କାଲି ଅଦାଲତୀ ରାୟ ଆସିବା ପରେ, ଜୋର୍ ଧରିଲା ଉଭୟଙ୍କ ସୋସିଆଲ ମିଡିଆ ୱାର୍ । ସତ୍ୟର ସବୁବେଳେ ଜୟ ହୁଏ ବୋଲି ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଗତକାଲି ସୋସିଆଲ୍ ମିଡିଆରେ ଲେଖିବା ପରେ, ଗତରାତିରେ ଏହାର ଜବାବ ଦେଇଛନ୍ତି ସ୍ୱାମୀ ଅନୁଭବ ।
ସାଂସଦ ଅନୁଭବ ମହାନ୍ତି ଲେଖିଛନ୍ତି ଯେ, (ଭି) ଶସ୍ତା ଓ ହୀନ ରାଜନୀତି ବନାମ୍ (ଏ) ନ୍ୟାୟ । ଏଠାରେ (ଭି) ମାନେ ବର୍ଷା ଏବଂ (ଏ) ମାନେ ଅନୁଭବ ବୋଲି ଅନୁମାନ କରାଯାଉଛି । ଅନୁଭବ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଏହା ଆଇନ ବିରୋଧୀ ଯେ, ପ୍ରଥମ ରାଉଣ୍ଡରେ (ଭି) ର ପ୍ରବଳ ଚାପ ଯୋଗୁଁ (ଏ)କୁ ବଞ୍ଚିତ ଓ ଲାଞ୍ଛିତ ହେବାକୁ ପଡ଼ିଲା । କିନ୍ତୁ ଶେଷରେ ନ୍ୟାୟ ନିଶ୍ଚିତ ରୂପେ ଜିତିବ ।