22.1 C
Bhubaneswar
Wednesday, January 22, 2025
Homeଓଡିଶାଆଜି ଭୋଟ୍ ଗ୍ରହଣ : ୭୦୫ ବୁଥ୍‌ରେ ୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଆଜି ଭୋଟ୍ ଗ୍ରହଣ : ୭୦୫ ବୁଥ୍‌ରେ ୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ଓ କର୍ପୋରେଟର ପଦବୀ ପାଇଁ ରାଜଧାନୀବାସୀ ଗୁରୁବାର ଭୋଟ ଦେବେ। ନିଜ ନିଜ ପସନ୍ଦ ମୁତାବକ ଜନ ପ୍ରତିନିଧି ବାଛିବେ ଭୋଟର । ମୋଟ ୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟରଙ୍କ ହାତରେ ରହିଛି । ସେମାନଙ୍କ ମଧ୍ୟରେ ମୋଟ ୧୨ ଜଣ ମେୟର ପ୍ରାର୍ଥୀ ଓ ୨୯୦ ଜଣ କର୍ପୋରେଟର ପ୍ରାର୍ଥୀ ରହିଛନ୍ତି । ଚଳିତଥର ମହାନଗର ନିଗମର ମେୟର ପଦବୀ ପାଇଁ ସିଧାସଳଖ ଭୋଟ୍ ଦେବେ । ମେୟର ପଦବୀ ନିମନ୍ତେ ହଳଦିଆ ବାଲଟ ପେପର ଧାର୍ଯ୍ୟ କରାଯାଇଛି । ସେହିପରି ଏବଂ କର୍ପୋରେଟର ପାଇଁ ଗୋଲାପୀ ରଙ୍ଗର ବାଲଟ ପେପର ଉଦ୍ଦିଷ୍ଟ ରହିବ ।

ସେହିପରି ପୌର ନିର୍ବାଚନରେ ପ୍ରଥମ ଥର ନୋଟା (ନନ୍ ଅଫ୍ ଦି ଏବଭ୍‌) ବ୍ୟବହାର ଲାଗି ସୁଯୋଗ ପାଇବେ । ୱାର୍ଡ଼ କୌଣସି ବି ପ୍ରାର୍ଥୀ ଯୋଗ୍ୟ ମନେ ନହେଲେ ଭୋଟର୍ ନୋଟା ବାଛିପାରିବେ । ତେବେ ମତଦାନ ତଥା ଭୋଟ ଗଣତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ବିଏମି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭୋଟଗ୍ରହଣର ଦିନକ ପୂର୍ବରୁ ୭୦୫ ବୁଥ୍‌ରେ ଇଭିଏମ୍ ଗୁଡ଼ିକ ପହଞ୍ଚିଛି । ୭୦୫ ବୁଥ୍ ପାଇଁ ୧୭୬୩ ଟି ବାଲାଟ ୟୁନିଟ୍ ଓ ୧୭୬୩ଟି କଣ୍ଟ୍ରୋଲ ୟୁନିଟ୍ ପ୍ରସ୍ତୁତ ହୋଇଛି । ବୁଥ୍‌ରେ ୧୪୧୦ ମେସିନ୍‌ର ଆବଶ୍ୟକତା ରହିଥିବାବେଳେ ଅତିରିକ୍ତ ୧୪୦ଟି ଇଭିଏମ୍ ପରିଚାଳନାଗତ ତ୍ରୁଟିକୁ ଏଡ଼ାଇବା ପାଇଁ ମହଜୁଦ୍ ରହିଛି ।

ମତଦାନ ପ୍ରକ୍ରିୟାର ସୁପରିଚାଳନା ପାଇଁ ପୂର୍ବରୁ ମକ୍‌ଡ୍ରିଲ୍ କରାଯାଇଛି । ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଇଭିଏମ୍ ଗୁଡ଼ିକ ସିସିଟିଭି ନଜରରେ ରହିବ । ଏହା ସୁରକ୍ଷିତ ଅଛି ଓ ଟ୍ୟାମ୍ପରିଂ କରାଯାଉ ନାହିଁ ବୋଲି ଜାଣିବା ପାଇଁ ସିସିଟିଭି କ୍ୟାମେରାର ଚିତ୍ର ପ୍ରାର୍ଥୀମାନଙ୍କ ପାଇଁ ପ୍ରଦର୍ଶିତ ହେବ । ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ନିର୍ଦ୍ଧାରିତ ସ୍ଥାନରୁ ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ଟିଭି ସ୍କ୍ରିନ୍‌ରେ ଷ୍ଟ୍ରଙ୍ଗ୍‌ରୁମ୍ ଭିତରର ଚିତ୍ର ଦେଖିବା ଭଳି ବ୍ୟବସ୍ଥା ହୋଇଛି । ତେବେ ସହରରେ ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ଶୃଙ୍ଖଳା ରକ୍ଷା ପାଇଁ ବିଶେଷ ଗୁରୁତ୍ୱ ଦିଆଯିବା ସହ ସୁରକ୍ଷା କର୍ମୀଙ୍କ ନଜରରେ ରହିବ । ସେହିପରି ନିର୍ବାଚନକୁ ଆହୁରି ସହଜ କରିବା ପାଇଁ ୫ଟି ପିଙ୍କ ବୁଥ୍ ଓ ୫ଟି ଆଦର୍ଶ ବୁଥ କରାଯାଇଛି । କ୍ୟାପିଟାଲ ହାଇସ୍କୁଲରେ ୩ଟି ଏବଂ ୟୁନିଟ-୧ ବାଳକ ବିଦ୍ୟାଳୟରେ ୨ଟି ପିଙ୍କ୍ ବୁଥ କରାଯାଇଛି ।

ଏଠାରେ ସମସ୍ତ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏପରିକି ପୋଲିସ କର୍ମଚାରୀ ମଧ୍ୟ ମହିଳା ରହିବେ । ସେହିପରି ଆଦର୍ଶ ବୁଥ୍‌ରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ଅସ୍ଥାୟୀ ପ୍ରତିକ୍ଷା ଗୃହ ନିର୍ମାଣ କରାଯାଇଛି । ସୂଚନା ଥାଉ କି, ମାର୍ଚ୍ଚ ୨ରୁ ୭ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୯ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯାଇ ୧୦ ତାରିଖରେ ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇଥିଲା । ତେବେ ମାର୍ଚ୍ଚ ୧୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଥିବାବେଳେ ଉକ୍ତ ଦିନ ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ଏହା ପରଠାରୁ ପ୍ରଚାର ପ୍ରସାରରେ କମ୍ପିଥିଲା ରାଜଧାନୀ । ମତଦାତାଙ୍କ ସମର୍ଥନ ହାତେଇବା ପାଇଁ ୨୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଚାରରେ ଲାଗିପଡ଼ିଥିଲେ ପ୍ରାର୍ଥୀମାନେ । ତେବେ ମାର୍ଚ୍ଚ ୨୪ରେ ଭୋଟ୍ ହୋଇ ୨୬ରେ ଭୋଟ୍ ଗଣତି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking