31.1 C
Bhubaneswar
Sunday, May 19, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩ଆଜି କର୍ଣ୍ଣାଟକ ବିଧାନସଭାର ୨୨୪ ଆସନ ପାଇଁ ଭୋଟଗ୍ରହଣ

ଆଜି କର୍ଣ୍ଣାଟକ ବିଧାନସଭାର ୨୨୪ ଆସନ ପାଇଁ ଭୋଟଗ୍ରହଣ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାର ୨୨୪ ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । କ୍ଷମତାସୀନ ବିଜେପି ସମେତ ବିଭିନ୍ନ ଦଳର ମୋଟ ୨୬୧୫ ପ୍ରାର୍ଥୀ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ରାଜ୍ୟର ୫୮,୫୪୫ ବୁଥ୍‌ରେ ମତଦାନର ବ୍ୟବସ୍ଥା କରାଯାଇଥିବାବେଳେ ମୋଟ ୫,୩୧,୩୩,୦୫୪ ଜଣ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ୨,୬୭,୨୮,୦୫୩ ଜଣ ପୁରୁଷ, ୨,୬୪,୦୦,୦୭୪ ମହିଳା ଏବଂ ୪୯୨୭ ତୃତୀୟ ଲିଙ୍ଗୀ ଭୋଟର ସାମିଲ ଅଛନ୍ତି । ଅପରପକ୍ଷରେ ଏଥର ଯୁବ ଭୋଟରଙ୍କ ସଂଖ୍ୟା ୧୧,୭୧,୫୫୮ ଥିବାବେଳେ ୫,୭୧,୨୮୧ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି ।

ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମତଦାନ ପ୍ରକ୍ରିୟାରେ ୪ ଲକ୍ଷ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏଥର ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ବିଜେପି ପୁଣି ଥରେ କ୍ଷମତା ବଜାୟ ରଖିବାକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ କଂଗ୍ରେସ ବିଜୟଧାରାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ ଚଳାଇଛି । ଅପରପକ୍ଷରେ ୧୯୯୯ରେ ଦଳ ଗଠିତ ହୋଇଥିଲେ ସୁଦ୍ଧା ଜେଡିଏସ୍ ଥରେ ହେଲେ ଏକୁଟିଆ ସରକାର ଗଢିବାରେ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ । ଅବଶ୍ୟ ପୂର୍ବରୁ ଜେଡିଏସ୍ ଦୁଇ ଦୁଇଥର ବିଜେପି ଓ କଂଗ୍ରେସ ସହ ମିଶି କର୍ଣ୍ଣାଟକରେ ମେଣ୍ଟ ସରକାର ଗଠନ କରିସାରିଛି । ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ (ବିଜେପି), ବିରୋଧୀ ଦଳ ନେତା ସିଦ୍ଧରମେୟା (କଂଗ୍ରେସ), ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ୱାମୀ, ଜଗଦୀଶ ସେଟ୍ଟାର ଏବଂ ପିସିସି ସଭାପତି ଶିବକୁମାର ।

ସେଟ୍ଟାର ନିକଟରେ ବିଜେପି ଛାଡି କଂଗ୍ରେସରେ ଯୋଗଦେଇଛନ୍ତି । ବୋମାଇ ହାଭେରି ଜିଲ୍ଲାର ଶିଗାଓଁ ଆସନରୁ ନିର୍ବାଚନ ଲଢୁଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସେଟ୍ଟାର ହୁବାଲି-ଧରୱାଡ୍ ଆସନରୁ, ସିଦ୍ଧରମେୟା ଛାମାରାଜାନଗର ଜିଲ୍ଲା ଅନ୍ତର୍ଗତ ବରୁଣା ଆସନରୁ, ଶିବକୁମାର କନକପୁରା ଆସନରୁ, କୁମାରସ୍ୱାମୀ ଛନ୍ନାପାଟନା ଆସନରୁ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ପୁତ୍ର ପ୍ରିୟଙ୍କ ଚିତ୍ତପୁର ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି । ମେ’ ୧୩ରେ ଗଣତି କରାଯିବ । ୨୦୧୮ ନିର୍ବାଚନରେ ବିଜେପିକୁ ସର୍ବାଧିକ ୧୦୪ଟି ଆସନ ମିଳିଥିବାବେଳେ କଂଗ୍ରେସକୁ ୮୦ ଓ ଜେଡିଏସ୍‌କୁ ୩୭ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରଠାରୁ ଏପର୍ଯ୍ୟନ୍ତ କର୍ଣ୍ଣାଟକରେ ୩୭୫ କୋଟି ଟଙ୍କାର ନଗଦ ଟଙ୍କା, ମଦ, ସ୍ୱର୍ଣ୍ଣାଳଙ୍କାର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇସାରିଛି । ପୂର୍ବ ନିର୍ବାଚନ ତୁଳନାରେ ଏହା ପ୍ରାୟ ୫ ଗୁଣ ଅଧିକ ବୋଲି ଇସିଙ୍କ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking