କଟକ : କଟକର ସର୍ବ ପୁରାତନ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲକୁ ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପାଣ୍ଡିଆନ ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ହଇସ୍କୁଲର ଉନ୍ନତିକର ନେଇ ଆଲୋଚନା କରିଛନ୍ତି । ପ୍ରଥମେ ସେ ସ୍କୁଲ ପରିସରରେ ଅବସ୍ଥାପିତ ଜାତିର ମହାତ୍ମା ଗାନ୍ଧୀ ଏବଂ କୁଳବୁଦ୍ଧ ମଧୁ ବାରିଷ୍ଟରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଶ୍ରୀ ପାଣ୍ଡିଆନ ସ୍କୁଲର ସମସ୍ତ କ୍ଲାସରୁମ ବୁଲିବା ସହ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଧରି ବାର୍ତ୍ତାଳାପ କରିଥିଲେ । ଏପରିକି ପିଲାମାନେ ଭବିଷ୍ୟତରେ କି’ ଲକ୍ଷ୍ୟ ରଖିଛନ୍ତି ସେ ନେଇ ଫାଇପ-ଟି ସଚିବ ପଚାରି ବୁଝିଥିଲେ । ଏଥି ସହିତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ୟପକ୍ଷରେ ଫାଇପ ଟି ସଚିବଙ୍କୁ ପିଲାମାନେ ପାଖରେ ଦେଖି ଉତ୍ସାହିତ ହେବା ସହ ପାଣ୍ଡିଆନଙ୍କୁ ପିଲାମାନେ ଅଟୋଗ୍ରାପ ମଧ୍ୟ ମାଗିବାକୁ ପଛାଇନଥିଲେ । ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ, ଶିକ୍ଷାନୁଷ୍ଠାନ ହେଉଛି ବିଦ୍ୟାର୍ଥୀଙ୍କର ବିକାଶର ସୋପାନ ।
ଏହାର ଉନ୍ନତି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ କର୍ତ୍ତବ୍ୟ । ତେବେ ଶିକ୍ଷାର ବିପ୍ଳବରେ ମୁଖ୍ୟମନ୍ତ୍ରୀ ସହଯୋଗ କରୁଛନ୍ତି ବୋଲି ସେ କହିଥିଲେ । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି । ରୂପାନ୍ତରିକରଣ ପ୍ରକ୍ରିୟାରେ ବିଦ୍ୟାଳୟ ନୂଆ ରୂପ ପାଇଛି । ତେବେ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ର ମାନେ ଗୋଟିଏ ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ଦୁଇହାତ ବଢାଇ ସହଯୋଗ ଯୋଗାଇ ଦେବେ ବୋଲି ପରିଦର୍ଶନ ସମୟରେ ଶ୍ରୀ ପାଣ୍ଡିଆନ କହିଥିଲେ । ଏହାପରେ ସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ରୂପାନ୍ତରୀକରଣ ନେଇ ଫାଇପ-ଟି ଆଲୋଚନା କରିଥିଲେ । ପ୍ରାୟ ୬କୋଟି ଟଙ୍କା ନିର୍ମାଣ ହେବାକୁ ଥିବା ପ୍ରକଳ୍ପ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା । ମୁମ୍ବାଇ ସ୍ଥିତ ଏସିଆଟିକ୍ ସୋସାଇଟି କେନ୍ଦ୍ରୀୟ ପାଠାଗାର ଢାଞ୍ଚାରେ ହାଇସ୍କୁଲର ଏକ ଅତ୍ୟାଧୁନିକ ଅଟ୍ଟାଳିକା ନିର୍ମାଣ ହେବା ଉପରେ ଆଲୋଚନା ହୋଇଥିଲା । ଏଥିନିମନ୍ତେ ୬ କୋଟି ଟଙ୍କା ଖର୍ଚ୍ଚ ହେବ । ଉକ୍ତ କୋଠାରେ ୧୭ଟି ସ୍ମାର୍ଟ କ୍ଲାସରୁମ୍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଗଣିତ, କମ୍ପ୍ୟୁଟର ପାଇଁ ପୃଥକ ପୃଥକ ପ୍ରୟୋଗଶାଳା ସମେତ ପାଠାଗାର ଭଳି ଶିକ୍ଷାର ସମସ୍ତ ଭିତ୍ତିଭୂମି ବ୍ୟବସ୍ଥା କରାଯିବ ।
ଆଦିତ୍ୟ ବିର୍ଲା ଗ୍ରୁପର “ର୍ବିଲା କାର୍ବନ’ କମ୍ପାନୀ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଆସନ୍ତା ଅଗଷ୍ଟ ୩ ତାରିଖ ବୋର୍ଡ ସ୍କୁଲର ପ୍ରତିଷ୍ଠା ଦିବସରେ ପ୍ରସ୍ତାବିତ ନବୀକରଣ କାର୍ଯ୍ୟର ଭିତ୍ତ ପ୍ରସ୍ତର ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ତ୍ତ ବିଭାଗକୁ ଏହି ନୂଆକୋଠାର ର୍ନିମାଣ ଦାୟିତ୍ୱ ଦିଆଯାଇଥିବାବେଳେ ଆଜି ୫-ଟି ସଚିବ ଶ୍ରୀ ପାଣ୍ଡିଆନ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନକ୍ସା ଦେଖବା ସହ ଆଲେଚନା କରିଥିଲେ । ଏହି ଅବସରରେ ସ୍କୁଲ ଖେଳ ପଡିଆର ଉନ୍ନତିକରଣ ନିମନ୍ତେ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାମାନେ ୫-ଟି ସଚିବଙ୍କ ନିକଟରେ ଦାବି କରିଥିଲେ । ଏହି ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ । ଏହି ପରିଦର୍ଶନ ସମୟରେ କ୍ରୀଡା ସଚିବ ଆର.ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ନିଖିଲ ପୱନ କଲ୍ୟାଣ, ଡିସିପି ପିନାକ ମିଶ୍ର, ବୋର୍ଡ ସଭାପତି ରାମାଶିଷ ହାଜରା, ସମ୍ପାଦିକା ସୁମିତା ସରକାର, ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରୀମାନେ ଉପସ୍ଥିତ ଥିଲେ ।