ନୂଆଦିଲ୍ଲୀ : ଟିମ ଇଣ୍ଡିଆରେ ଅଧିନାୟକ ପଦ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ଟି୨୦ ବିଶ୍ୱକପ ପରେ ବିରାଟ କୋହଲୀ ଅଧିନାୟକତ୍ୱ ଛାଡି ଦେଇଥିଲେ । ହେଲେ ଏହାର କିଛି ସମୟ ପରେ ବିସିସିଆଇ ବିରାଟଙ୍କୁ ଦିନିକିଆ ସିରିଜ ଅଧିନାୟକତ୍ୱରୁ ବି ହଟାଇ ଦେଲା । ଏହାପରେ ସବୁ ଝଗଡା ଆରମ୍ଭ ହୋଇଥିଲା । ହେଲେ ଏବେ ପ୍ରଶ୍ନ ଏମିତି ବି ଉଠୁଛି ଯେ, ବିରାଟ କୋହଲୀଙ୍କ ପରି ଜଣେ ବଡ ଖେଳାଳୀ, ଭଲ ରେକର୍ଡ କରିଥିବା କରିଥିବା ଅଧିନାୟକଙ୍କ ସହ ବିସିସିଆଇ କଣ ଠିକ କରିଛି ।
ଦକ୍ଷିଣ ଆଫ୍ରିକା ଗସ୍ତକୁ ଯିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ସେ ରୋହିତ ଶର୍ମାଙ୍କ ସହ ମତଭେଦ ବିଷୟରେ ଖୋଲାଖୋଲି କଥା ହୋଇଥିଲେ। ଏହା ସହିତ ବିରାଟ ମଧ୍ୟ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ର ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କ ଦାବି ଉପରେ କହିଥିଲେ, ଯେଉଁଥିରେ ବିସିସିଆଇ ମୁଖ୍ୟ କହିଛନ୍ତି ଯେ ସେ ବିରାଟ କୋହଲିଙ୍କୁ ଟି -20 ଇଣ୍ଟରନ୍ୟାସନାଲରେ ଅଧିନାୟକତ୍ୱ ନ ଛାଡ଼ିବାକୁ ଅନୁରୋଧ କରିଛନ୍ତି।
ସୌରଭ ଗାଙ୍ଗୁଲିଙ୍କ ବିବୃତ୍ତିର ରେ ଉପୁଜିଥିବା ବିବାଦ ଉପରେ ବିରାଟ କୋହଲି କହିଛନ୍ତି ଯେ ମୋର ନିଷ୍ପତ୍ତିରେ କାହାରି କିଛି ଅସୁବିଧା ନଥିଲା । ମୋତେ ଟି -20 ଅଧିନାୟକତ୍ୱ ଛାଡିବାକୁ କେହି କହି ନାହାଁନ୍ତି। ସେ କହିଛନ୍ତି, “ଟି -20 ଅଧିନାୟକତ୍ୱ ଛାଡିବା ବିଷୟରେ ମୁଁ ବିସିସିଆଇକୁ ପ୍ରଥମେ କହିଥିଲି। ଏହାକୁ ବହୁତ ଭଲ ଭାବରେ ଗ୍ରହଣ କରାଯାଇଥିଲା। କାହାର କିଛି ଅସୁବିଧା ନଥିଲା , ମୋତେ କୁହାଗଲା ନାହିଁ ଯେ ଆପଣ ଟି -20 ର ଅଧିନାୟକତ୍ୱ ଛାଡ଼ନ୍ତୁନି ବରଂ ମୋର ଏହି ନିଷ୍ପତ୍ତିକୁ ବହୁତ ପ୍ରଶଂସା କରାଯାଇଥିଲା। ”
ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ଭାବରେ ହଟାଯିବା ପରେ ଏକ ସାକ୍ଷାତକାରରେ ସୌରଭ କହିଛନ୍ତି ଯେ ଆମେ ବିରାଟ କୋହଲିଙ୍କୁ ଟି -20 ଅଧିନାୟକ ପଦରୁ ଇସ୍ତଫା ନଦେବାକୁ ଅନୁରୋଧ କରିଛୁ, କିନ୍ତୁ ସେ ଏହି ପଦରେ ଜାରି ରଖିବାକୁ ଚାହୁଁ ନଥିଲେ । ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଯେ ସେ ନିଜେ କୋହଲିଙ୍କୁ ଟି -20 ଅଧିନାୟକତ୍ୱ ନ ଛାଡିବାକୁ ନିବେଦନ କରିଛନ୍ତି, କିନ୍ତୁ କାର୍ଯ୍ୟଭାର ବିଷୟରେ କହି ବିରାଟ ଟି -20 ଅଧିନାୟକତ୍ୱ ଛାଡିବାକୁ ଜିଦ୍ ଧରିଥିଲେ ।
କ୍ରିକେଟ କଲମିଷ୍ଟ ଅୟାଜ ମେମନ କହିଛନ୍ତି, ଗତ ୧୦-୧୫ ଦିନରେ ଯାହା ବି ହୋଇଛି, ତାହା ଭାରତୀୟ କ୍ରିକେଟ ପାଇଁ ବହୁତ ବଡ । ହେଲେ କାହିଁକି ଏହି ବିବାଦ ହେଲା । ଏହାସବୁ ସେହି ପ୍ରେସ ରିଲିଜ ପାଇଁ ହେଲା । ଯେଉଁଥିରେ ବିରାଟ କୋହଲୀଙ୍କୁ ଅଧିନାୟକତ୍ୱରୁ ହଟାଗଲା । ଏହାକୁ ପ୍ରେସ ରିଲିଜର ଶେଷରେ କେବଳ ଲେଖି ଦିଆଗଲା ।
ସେ କହିଛନ୍ତି, ଯେ, ସୌରଭ ଗାଙ୍ଗୁଲି ବୟାନ ଦେଇଛନ୍ତି ବିରାଟ ଟି୨୦ର ଅଧିନାୟକତ୍ୱ କରିବାକୁ ଚାହୁଁନଥିଲେ । ହେଲେ ଯଦି ବିରାଟ ହଁ କରିଥାନ୍ତେ ତାହେଲେ କଣ ରୋହିତ ଶର୍ମା କ୍ୟାପଟେନ ହୋଇପାରିନଥାନ୍ତେ ।
ବିସିସିଆଇ ଯେତେବେଳେ ସାଉଥ ଆଫ୍ରିକା ଟୁର ପାଇଁ ଟେଷ୍ଟ ଟିମ ଘୋଷଣା କରିଥିଲେ, ସେହି ସମୟରେ ଏହି ସୂଚନା ମଧ୍ୟ ଦେଇଥିଲେ ଯେ, ଏବେଠୁ ଦିନିକିଆ ମ୍ୟାଚର ଅଧିନାୟକ ପଦ ରୋହିତ ଶର୍ମା ସମ୍ଭାଳିବେ । ଏହି ପ୍ରେସ ରିଲିଜର ଗୋଟିଏ ଦିନ ପରେ ବିସିସିଆଇ ନିଜ ସୋସିଆଲ ମିଡିଆ ରେ ବିରାଟ କୋହଲୀଙ୍କୁ ଥ୍ୟାଙ୍କ ୟୁ କହିବା ଆରମ୍ଭ କରିଥିଲା ଓ ଅଧିନାୟକ ବିରାଟ ଙ୍କୁ ନେଇ ଅନେକ ଟ୍ୱିଟ କରିଥିଲା ।
ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ବିରାଟ କୋହଲୀ ଓ ରୋହିତ ଶର୍ମାଙ୍କୁ ନେଇ ଚାଲିଥିବା ବିବାଦ ଉପରେ କହିଛନ୍ତି, ଯେ ପର୍ୟ୍ୟନ୍ତ ଦୁଇ ଖେଳାଳୀ ଏ ନେଇ କିଛି ସ୍ପଷ୍ଟ ନ କରିଛନ୍ତି କିମ୍ବା ବୋର୍ଡ ପକ୍ଷରୁ କିଛି ସଠିକ ତଥ୍ୟ ପ୍ରଦାନ ନ କରା ଯାଇଛି, ସେ ପର୍ୟ୍ୟନ୍ତ କେହି କିଛି କଳ୍ପନା କରିବା ଉଚିତ ନୁହେଁ । ତେବେ ବିରାଟ କହିଛନ୍ତି ରୋହିତ ଶର୍ମା ଓ ତାଙ୍କ ମଧ୍ୟରେ କୌଣସି ପ୍ରକାରର ବିବାଦ ନାହିଁ ।