ବ୍ରହ୍ମପୁର: ଏକ ହତ୍ୟା ମାମଲାର ଆଜି ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ବେହେରା ଶୁଣାଣି କରିଛନ୍ତି । ଉପଯୁକ୍ତ ପ୍ରମାଣ ଅଭାବରୁ ସେ ମୃତ ଧର୍ମାଙ୍କ ଦୁଇ ଶଳା ବି.ନାଗେଶ୍ୱର ଓ ବି. ତିରୁପତିଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏହି ମାମଲାର ବିଚାରଣା ବେଳେ ମୋଟ ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସୂଚନାଯ୍ୟୋ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଗ୍ରାମର ବି. ନାଗେଶ୍ୱରଙ୍କ ଭଉଣୀ ବି. ରାବଣାମ୍ମ ଉକ୍ତ ଗ୍ରାମର ଡ଼ି.ଧର୍ମା ରାଓଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ସମ୍ପତ୍ତି ଭାଗବଣ୍ଟାଙ୍କୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ପଟିତୁଣ୍ଡ ଲାଗି ରହୁଥିଲ । ଗତ ୨୦୨୧ ମାର୍ଚ୍ଚ ୮ ତାରିଖ ସନ୍ଧ୍ୟାରେ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଝିଅ ରାବଣାମ୍ମ ତାଙ୍କ ମା’ଙ୍କ ଘରକୁ ଯାଇଥିବା ବେଳେ ବି.ନାଗେଶ୍ୱର ଓ ବି.ତିରୁପତି ତାଙ୍କ ଭଉଣୀଙ୍କୁ ଗାଳି ଗୁଳଜ କରିଥିଲେ । ଘଟଣା ସମ୍ପର୍କରେ ରାବଣାମ୍ମ ତାଙ୍କ ସ୍ୱାମୀଙ୍କୁ କହିବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଡ଼ି. ଧର୍ମା ରାଓ ତାଙ୍କ ସାନ ଭାଇ ଡ଼ି.କ୍ରିଷ୍ଣା ରାଓଙ୍କ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ । ଯାହାକୁ ନେଇ ଭିଣୋଇ ଓ ଶଳାଙ୍କ ମଧ୍ୟରେ ଝଗଢା ହୋଇଥିଲା ।
ଏହି ସମୟରେ ବି. ତିରୁପତି ଏକ ଲୁହାଛଡ଼ରେ ତାଙ୍କ ଡ଼ି. ଧର୍ମା ଓ ଭାଇ କ୍ରିଷ୍ଣା ରାଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପରେ ଉଭୟ ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଧର୍ମା ରାଓଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଅଭିଯୋଗ ହୋଇଥିବା ବେଳେ ଗୋଳନ୍ଥରା ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ବି. ନାଗେଶ୍ୱର ଓ ତାଙ୍କ ଭାଇ ବି. ତିରୁପତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପରେ ତିରୁପତିଙ୍କୁ ଜାମିନ ମିଳିଥିଲା । ଉକ୍ତ ମାମଲାରେ ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଥାନାଧିକାରୀ ବାବୁଲି ନାୟକ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ଏହି ମାମଲାର କୋର୍ଟ ଆଜି ବିଚାରଣା କରି ଉପଯୁକ୍ତ ପ୍ରମାଣ ଅଭାବରୁ ଉରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ଓ ମୁଦୁଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏସ୍. ରାମକୁମାର ଓ ରଘୁନାଥ ପ୍ରସାଦ ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ ।