ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର କଂଗ୍ରେସ ନେତା ପବନ ଖେଡାଙ୍କ ଅନ୍ତରୀଣ ଜାମିନ ଅବଧି ଆସନ୍ତା ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିସହିତ ଖେଡାଙ୍କ ବିରୋଧରେ ଆଗତ ତିଟିଟି ଏତଲାକୁ ଏକାଠି କରି ଲକ୍ଷ୍ନୌକୁ ସ୍ଥାନାନ୍ତର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏପ୍ରିଲ ୧୦ ମଧ୍ୟରେ ଲକ୍ଷ୍ନୌର ଏକ ଅଦାଲତରେ ନିୟମିତ ଜାମିନ ପାଇଁ ଆବେଦନ କରିବାକୁ ମଧ୍ୟ ଖେଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଆସାମ ପୁଲିସର ଏକ ଦଳ ଗତ ଫେବୃଆରୀ ୨୩ରେ ଖେଡାଙ୍କୁ ନୂଆଦିଲ୍ଲୀ ବିମାନବନ୍ଦରରୁ ଗିରଫ କରିଥିଲା । ଛତିଶଗଡର ରାୟପୁରରେ ଆୟୋଜିତ ହେବାକୁ ଥିବା କଂଗ୍ରେସ ଅଧିବେଶନରେ ଯୋଗଦେବାକୁ ଶତାଧିକ ଦଳୀୟ କର୍ମୀଙ୍କ ସହ ଖେଡା ବିମାନରେ ବସିସାରିଥିଲେ । ତେବେ ପୁଲିସ ତାଙ୍କୁ ବିମାନରୁ ଓହ୍ଲାଇଦେବା ସହ ଗିରଫ କରିଥିଲା । ଖେଡା ଅବଶ୍ୟ ସେହିଦିନ ହିଁ ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ ପାଇଥିଲେ ।