28.1 C
Bhubaneswar
Friday, July 26, 2024
Homeଦେଶ ବିଦେଶକଙ୍ଗନାଙ୍କ ବିପକ୍ଷରେ ଲଢ଼ିବେ ବିକ୍ରମାଦିତ୍ୟ

କଙ୍ଗନାଙ୍କ ବିପକ୍ଷରେ ଲଢ଼ିବେ ବିକ୍ରମାଦିତ୍ୟ

ମଣ୍ଡି : ହିମାଚଳପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କୁ ପ୍ରାର୍ଥୀ କରିଛି । କଙ୍ଗନା ମଧ୍ୟ ଏବେ ଏହି ନିର୍ବାଚନମଣ୍ଡଳରେ ଜୋରଦାର ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ତେବେ କାଲି ପର୍ଯ୍ୟନ୍ତ କଂଗ୍ରେସର କେଉଁ ନେତା ଏହି ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ ସେନେଇ କୌଣସି ସ୍ପଷ୍ଟୀକରଣ ନଥିବା ବେଳେ ଆଜି କିନ୍ତୁ ବିକ୍ରମାଦିତ୍ୟ ସିଂ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଏକ ଆଭାସ ମିଳିଛି । ରିପୋର୍ଟ ଅନୁସାରେ ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ମଣ୍ଡି ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ଆଜି ତାଙ୍କ ମା’ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି ଥିବା ପ୍ରତିଭା ସିଂ ଘୋଷଣା କରିଛନ୍ତି । ପ୍ରତିଭା ସିଂ କହିଛନ୍ତି, ଦଳ ପକ୍ଷରୁ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂ, ମଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହେବେ । ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଧ୍ୟ ଆଜି ଏସମ୍ପର୍କରେ ସଂକେତ ଦେଇଛନ୍ତି । ସୁଖୁଙ୍କ କହିବାନୁସାରେ ମଣ୍ଡି ଲୋକସଭା ଆସନରେ ପ୍ରଦେଶ କଂଗ୍ରେସ ଜଣେ ଯୁବ ନେତାଙ୍କୁ ହିଁ ପ୍ରାର୍ଥୀ କରିବାକୁ ଚାହୁଁଛି । ତେବେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପକ୍ଷରୁ ଅଧିକାରୀକସ୍ତରରେ ଏନେଇ କୌଣସି ଘୋଷଣା କରାଯାଇନାହିଁ ।

ପ୍ରତିଭା କହିଛନ୍ତି, ମଣ୍ଡି ଆସନ ପାଇଁ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂ, ଜଣେ ଶକ୍ତିଶାଳୀ ପ୍ରାର୍ଥୀ ହେବେ । ପ୍ରତିପକ୍ଷ ଦଳର ପ୍ରାର୍ଥୀ କ’ଣ କରୁଛନ୍ତି କିମ୍ବା କହୁଛନ୍ତି ସେସମ୍ପର୍କରେ ପ୍ରଦେଶ କଂଗ୍ରେସ ଆଦୌ ଚିନ୍ତିତ ନୁହେଁ । କିନ୍ତୁ ମଣ୍ଡିବାସୀ ସଦାସର୍ବଦା ଆମ ସହ ରହିଆସିଛନ୍ତି । ଅତ୍ୟନ୍ତ କଠିନ ସମୟରେ ମଧ୍ୟ ସେ (ନିଜେ ପ୍ରତିଭା ସିଂ) ଏହି ଆସନରୁ ନିର୍ବାଚିତ ହୋଇଛନ୍ତି । ତେବେ ବର୍ତ୍ତମାନ ସମୟରେ ସେ ଆଉ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନଥିବାରୁ ତାଙ୍କ ପୁଅ ଏବେ ଏହି ଆସନରୁ କଂଗ୍ରେସ ପାଇଁ ପ୍ରତିନିଧିତ୍ୱ କରନ୍ତୁ ବୋଲି ମଣ୍ଡିବାସୀ ଇଚ୍ଛା ପ୍ରକଟ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ ପକ୍ଷରୁ ବିକ୍ରମାଦିତ୍ୟ ସିଂଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, କଙ୍ଗନା ମଣ୍ଡି ଆସନ ପାଇଁ ବିଜେପି ପ୍ରାର୍ଥୀ ହେବା ପରଠାରୁ ନିୟମିତ ଭାବେ କଂଗ୍ରେସକୁ ଏବଂ ବିଶେଷକରି ବୀରଭଦ୍ର ସିଂଙ୍କ ପରିବାରକୁ ଟାର୍ଗେଟ୍ କରିଆସୁଛନ୍ତି । କଙ୍ଗନା ନିକଟରେ ପ୍ରତିଭା ସିଂ ଏବଂ ତାଙ୍କ ପୁଅ ବିକ୍ରମାଦିତ୍ୟଙ୍କୁ ମଧ୍ୟ ପରୋକ୍ଷରେ ସମାଲୋଚନା କରିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking