ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ ରାସ୍ତା ପରିଷ୍କାର ହୋଇଛି । ମୁମ୍ବାଇର ଏକ କୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି ତାଙ୍କ ପକ୍ଷରୁ ଦାଖଲ ପିଟିସନ୍କୁ ସୁପ୍ରିମ୍କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି । ମୁମ୍ବାଇ କୋର୍ଟ ତାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ ସହିତ ତାଙ୍କ ସମ୍ପତ୍ତି ଜବତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାଲ୍ୟାଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଶୀର୍ଷ ଅଦାଲତକୁ ଅବଗତ କରାଇଥିଲେ ଯେ ତାଙ୍କ ମହକିଲଙ୍କ ଠାରୁ କୌଣସି ନିର୍ଦ୍ଦେଶ ମିଳୁନାହିଁ ।
ଏହାପରେ ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ରାଜେଶ ବିନ୍ଦଲଙ୍କ ଖଣ୍ଡପୀଠ ମୋକଦ୍ଦମା ନଚଳାଇବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ଏହା ସହିତ ମୁମ୍ବାଇ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପିଟିସନ୍ର ଶୁଣାଣି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି ।
ଏହା ପୂର୍ବରୁ ସୁପ୍ରିମ୍କୋର୍ଟ ମାଲ୍ୟାଙ୍କ ପିଟିସନ୍ ଉପରେ ୨୦୧୮ ସେପ୍ଟେମ୍ବରରେ ଇଡିକୁ ନୋଟିସ୍ ଜାରି କରିଥିଲେ । ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ୨୦୧୯ ଡିସେମ୍ବର ୭ ତାରିଖରେ ମାଲ୍ୟାଙ୍କୁ ପଳାତକ ଘୋଷଣା କରିଥିଲେ । ପିଏମ୍ଏଲ୍ଏ ଅଧିନିୟମ ଅନୁସାରେ ଥରେ ଜଣେ ବ୍ୟକ୍ତି ପଳାତକ ଆର୍ଥିକ ଅପରାଧୀ ଘୋଷିତ ହେବାପରେ ତାଙ୍କ ସମ୍ପତ୍ତି ଜବତ କରିବା କ୍ଷମତା ଅଭିଯୋଗ କରିଥିôବା ଏଜେନ୍ସି ହାତକୁ ଚାଲିଯାଇଥାଏ ।