ଭୁବନେଶ୍ୱର: ଚାହିଦା ମେଣ୍ଟାଇ ପାରୁ ନଥିଲେ ବି ଓଡ଼ିଶାରେ ଆଳୁ ଉତ୍ପାଦନ ପ୍ରାୟ ସ୍ଥିର ରହିଛି । ହେଲେ ଓଡ଼ିଆ ଘରେ ପଖାଳ ପାଇଁ ସବୁଠୁ ପ୍ରିୟ ପିଆଜ ଉତ୍ପାଦନ କମିଛି । ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ପିଆଜ ଉତ୍ପାଦନ ୪.୧୯% ହ୍ରାସ ପାଇଛି । ସେହିପରି ରାଜ୍ୟରେ କୋବି,ବାଇଗଣ, ବୋଇତି କଖାରୁ, ଲାଉ ଓ ଭେଣ୍ଡି ଭଳି ସାମଗ୍ରିକ ପନିପରିବା ଉତ୍ପାଦନ ବି ୦.୦୩% କମିଛି । ଆଗାମୀ ଦିନରେ ଏହି ସ୍ଥିତି ବଜାୟ ରହିଲେ ସମସ୍ୟା ଉପୁଜିବ ଏବଂ ବାହାର ରାଜ୍ୟ ଉପରେ ଆମର ନିର୍ଭରଶୀଳତା ଆହୁରି ବଢ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
ମିଳିଥିବା ତଥ୍ୟାନୁସାରେ ରାଜ୍ୟକୁ ପ୍ରତିମାସରେ ପଶ୍ଚିମବଙ୍ଗରୁ ଶତାଧିକ ଟ୍ରକ୍ ଆଳୁ ଆସୁଛି । ତେଣୁ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଗତ ୩୦ ଏପ୍ରିଲ ୨୦୧୫ରେ ‘ଆଳୁ ମିଶନ’ ଗଠନ କରିଥିଲେ । ପୂର୍ବାପେକ୍ଷା ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ିଥିଲେ ହେଁ ଚାହିଦା ମେଣ୍ଟାଇ ପାରୁନାହିଁ । ରିପୋର୍ଟ ଅନୁସାରେ ରାଜ୍ୟରେ ବାର୍ଷକ ୧୨.୮୮ ଲକ୍ଷ ଟନ୍ ଆଳୁ ଆବଶ୍ୟକ ଥିବାବେଳେ ଉତ୍ପାଦନ ହେଉଛି ମାତ୍ର ୩.୦୮ ଲକ୍ଷ ଟନ୍ । ଆବଶ୍ୟକ ଶୀତଳଭଣ୍ଡାର ନଥିବାରୁ ଉତ୍ପାଦିତ ଆଳୁ ସାଇତା ହୋଇ ରହିପାରୁନାହିଁ । ତେଣୁ ସମସ୍ୟା ସୃଷ୍ଟି ହେବା ସହ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ୨୦୧୫-୧୬ରେ ୨୭୩.୮୩ ହଜାର ଟନ୍ ଆଳୁ ଉତ୍ପାଦନ ହୋଇଥିବାବେଳେ ୨୦୧୬-୧୭ରେ ୩୦୨.୨୨ ହଜାର ଟନ୍, ୨୦୧୭-୧୮ରେ ୨୯୮.୦୬ ହଜାର ଟନ, ୨୦୧୮-୧୯ରେ ୨୯୦.୧୪ ହଜାର ଟନ୍ , ୨୦୧୯-୨୦ରେ ୨୯୪.୯୫ ହଜାର ଟନ ଓ ୨୦୨୦-୨୧ରେ ୨୯୬.୮୨ ହଜାର ଟନ୍ ଆଳୁ ଉତ୍ପାଦନ ହୋଇଛି । ପ୍ରତିବର୍ଷ ରାଜ୍ୟରୁ କୋଟି କୋଟି ଟଙ୍କା ବାହାରକୁ ଯାଉଛି । ଦ୍ୱିତୀୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କ ଭଲ ରହିଲେ କିଛି ସମସ୍ୟା ନାହିଁ । ନହେଲେ ରାଜ୍ୟରେ ଚାହିଦା ମେଣ୍ଟାଇବା ସମ୍ଭବ ହେବ ନାହିଁ ।
ରାଜ୍ୟରେ ପିଆଜ ଉତ୍ପାଦନ କମୁଥିବା ଦେଖାଯାଉଛି । ୨୦୧୫-୧୬ରେ ୩୬୯.୪୫ ହଜାର ଟନ୍ ପିଆଜ ଉତ୍ପାଦନ ହୋଇଥିବାବେଳେ ୨୦୧୬-୧୭ରେ ୩୭୮.୬୭ ହଜାର ଟନ୍, ୨୦୧୭-୧୮ରେ ୩୭୯.୩୪ ହଜାର ଟନ, ୨୦୧୮-୧୯ରେ ୩୭୩.୨୨ ହଜାର ଟନ୍ , ୨୦୧୯-୨୦ରେ ୩୬୫.୪୩ ହଜାର ଟନ, ୨୦୨୦-୨୧ରେ ୩୫୦.୧୨ ହଜାର ଟନ୍ ପିଆଜ ଉତ୍ପାଦନ ହୋଇଛି । ଅର୍ଥାତ ପୂର୍ବ ବର୍ଷଠାରୁ ୨୦୨୦-୨୧ରେ ପିଆଜ ଉତ୍ପାଦନ ୪.୧୯ ପ୍ରତିଶତ କମିଛି ।
ହେଲେ ରାଜ୍ୟରେ ଅଦା, ହଳଦୀ, ଜିରା ଓ ଲଙ୍କା ଉତ୍ପାଦନ ଭଲ ରହିଛି । ରିପୋର୍ଟ ଅନୁସାରେ ଲଙ୍କାର ବାର୍ଷିକ ଉତ୍ପାଦନ ପୂର୍ବ ବର୍ଷ ଠାରୁ ୩.୦୭% ଅଧିକ ଥିବାବେଳେ ହଳଦୀ ୧.୪୮%, ଅଦା ୦.୮୦% ଓ ଜିରା ୧୨.୨୦% ଅଧିକ ଉତ୍ପାଦନ ହୋଇଛି ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି । ଫଳରେ ଏହା ରାଜ୍ୟ ପାଇଁ ନିଶ୍ଚିତ ଭାବରେ ଏକ ଭଲ ଖବର ।