28.1 C
Bhubaneswar
Friday, November 15, 2024
Homeଦେଶ ବିଦେଶଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା ମାମଲା; ୱାକି-ଟକିରେ କଥାହେଲେ ଫସିଥିବା ଶ୍ରମିକ

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା ମାମଲା; ୱାକି-ଟକିରେ କଥାହେଲେ ଫସିଥିବା ଶ୍ରମିକ

ଦୁଇଦିନ ପରେ ମଧ୍ୟ ଉଦ୍ଧାରକାରୀ ଦଳର ହାତ ଶୁନ୍‌
ପାଇପ୍ ଯୋଗେ ଖାଦ୍ୟ, ପାନୀୟ ଓ ଅମ୍ଳଜାନ ଯୋଗାଣ
ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ରବିବାର ସକାଳେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡିବା ଫଳରେ ୪୦ ଜଣ ଶ୍ରମିକ ଫସିରହିଛନ୍ତି । ଇତିମଧ୍ୟରେ ୬୦ ଘଣ୍ଟାରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଜଣେ ହେଲେ ଶ୍ରମିକ ଟନେଲ ମଧ୍ୟରୁ ବାହାରକୁ ଆସିପାରିନାହାନ୍ତି । ତେବେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି । ସୋମବାର ଏକ ପାଇପ୍ ଜରିଆରେ ଟନେଲ ମଧ୍ୟକୁ ଖାଦ୍ୟ, ପାନୀୟ ଜଳ ଓ ଅମ୍ଳଜାନ ଯୋଗାଇ ଦିଆଯାଇଛି । ମଙ୍ଗଳବାର ୱାକି-ଟକି ସାହାଯ୍ୟରେ ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ସହ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି । ଗତକାଲି ମଧ୍ୟ ଜଣେ ଶ୍ରମିକ ଉକ୍ତ ପାଇପ୍ ଜରିଆରେ ପୁଅ ସହ କଥାବାର୍ତ୍ତା ହୋଇଥିଲେ । ଟନେଲ ମଧ୍ୟରେ ନେଟ୍‌ୱାର୍କ ମିଳିବା କଷ୍ଟକର ହୋଇଥିବାରୁ ୱାକି-ଟକି ବ୍ୟବହାର କରିବାକୁ ଉଦ୍ଧାରକାରୀ ଦଳ ଉଚିତ ମଣିଛନ୍ତି ।

ଉକ୍ତ ପାଇପ୍ ଜରିଆରେ ଟନେଲ ମଧ୍ୟକୁ ୱାକି-ଟକି ପଠାଯାଇଥିଲା । ତେବେ ଟନେଲ ମଧ୍ୟରୁ ଶ୍ରମିକଙ୍କୁ ଉଦ୍ଧାର କରିବାରେ ଆଉ କେତେ ସମୟ ଲାଗିବ, ତାହା ନିର୍ଦ୍ଦିଷ୍ଟଭାବେ କୁହାଯାଇନାହିଁ । ଏନ୍‌ଡିଆରଏଫ୍ ଆଇଜି ନରେନ୍ଦ୍ର ବୁନ୍ଦେଲା କହିଛନ୍ତି ଯେ ଟନେଲ ମଧ୍ୟରେ ସ୍ଥିତି ଅନୁକୂଳ ନଥିବାରୁ ଯଥେଷ୍ଟ ସତର୍କତାର ସହ ଉଦ୍ଧାର କାର୍ଯ୍ୟକୁ ସମ୍ପାଦନ କରାଯାଉଛି । ଟନେଲ ମଧ୍ୟରେ ଯେପରି ଆଉ ପଥରଖଣ୍ଡ ନ ଖସେ, ସେଥିପାଇଁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରାଯାଉଥିବା ସେ କହିଛନ୍ତି । ଇତିମଧ୍ୟରେ ଉଦ୍ଧାର ପ୍ରକ୍ରିୟାରେ ଥରେ ଅଘଟଣ ଘଟିସାରିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି । ଉଦ୍ଧାରକାରୀ ଦଳ ପ୍ରଥମେ ଟନେଲର ୩୦ ମିଟର ଦୂରତା ପର୍ଯ୍ୟନ୍ତ ପଥର କାଟିବାରେ ସଫଳ ହୋଇଥିଲେ । ତେବେ ପ୍ଲାଷ୍ଟର ହୋଇନଥିବା ସୁଡଙ୍ଗ ଛାତରୁ ଅତଡା ଖସିବାରୁ କେବଳ ୧୪ ମିଟର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ହୋଇଥିଲା । ଟନେଲ ମଧ୍ୟରେ ଥିବା ମାଟି ଅତ୍ୟନ୍ତ କୋମଳ ହୋଇଥିବାରୁ ଭାରୀ ଯନ୍ତ୍ରପାତି ବ୍ୟବହାର କରାଯିବା କଷ୍ଟକର ହୋଇପଡିଛି ।

ଟନେଲ ପ୍ରବେଶ ପଥକୁ ଅବରୋଧ କରୁଥିବା ପଥର କାଟି ତାହା ମଧ୍ୟକୁ ଏକ ୩ ଫୁଟ ଓସାର ବିଶିଷ୍ଟ ଲୁହା ପାଇପ୍ ଭର୍ତ୍ତି କରିବାକୁ ଯୋଜନା ଚାଲିଛି । ଯଦି ଏହା ସମ୍ଭବ ହୁଏ, ତେବେ ଉକ୍ତ ପାଇପ୍ କରିଆରେ ଫସିଥିବା ଶ୍ରମିକଙ୍କୁ ବାହାରକୁ ଅଣାଯାଇପାରିବ ବୋଲି ଆଶା କରାଯାଉଛି । ତେବେ ଟନେଲରେ ଫସିଥିବା ସମସ୍ତ ଶ୍ରମିକ ଜୀବିତ ଓ ସୁରକ୍ଷିତ ଥିବା ଜଣାପଡିଛି । ଚାର୍ ଧାମ୍ ସଡକ ପ୍ରକଳ୍ପ ଅନ୍ତର୍ଗତ ସିଲ୍‌କ୍ୟାରାଠାରୁ ଦାଣ୍ଡଲାଗାଓଁକୁ ସଂଯୋଗ କରିବାକୁ ଏହି ଟନେଲ ନିର୍ମାଣ କରାଯାଉଛି । ଫଳରେ ଉତ୍ତରକାଶୀରୁ ଯମୁନେତ୍ରୀ ପର୍ଯ୍ୟନ୍ତ ଦୂରତା ୨୬ କିମି ହ୍ରାସ ପାଇବ । ଫସିଥିବା ଶ୍ରମିକଙ୍କ ମଧ୍ୟରେ ଝାଡ଼ଖଣ୍ଡର ସର୍ବାଧିକ ୧୫ ଜଣ ଥିବାବେଳେ ଉତ୍ତର ପ୍ରଦେଶରୁ ୮, ଓଡ଼ିଶାରୁ ୫, ବିହାରରୁ ୪, ପଶ୍ଚିମବଙ୍ଗରୁ ୩ , ଉତ୍ତରାଖଣ୍ଡ ଓ ଆସାମରୁ ପ୍ରତ୍ୟେକ ୨ ଏବଂ ହିମାଚଳ ପ୍ରଦେଶରୁ ଜଣେ ସାମିଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking