ପୌଡ଼ି ଗଢ଼ୱାଲ: ଉତ୍ତରାଖଣ୍ଡର ପୌଡ଼ି ଗଢ଼ୱାଲ୍ରେ ୧୯ ବର୍ଷୀୟ ଅଙ୍କିତା ଭଣ୍ଡରୀ ହତ୍ୟା ମାମଲାରେ ପୁଲିସ ବିଜେପି ନେତା ଏବଂ ରାଜ୍ୟର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁତ୍ର ପୁଲକିତ ଆର୍ଯ୍ୟଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି । ଅନ୍ୟ ଗିରଫ ଦୁଇଜଣ ହେଲେ ପୁଲକିତ ଗୁପ୍ତା ଏବଂ ସୌରଭ ଭାସ୍କର । ତିନି ଅଭିଯୁକ୍ତ ଅଙ୍କିତାଙ୍କୁ ପାହାଡ଼ ଉପରୁ ଧକ୍କାଦେଇ ଗଙ୍ଗାନଦୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୌଡ଼ି ଗଢ଼ୱାଲ୍ ଜିଲ୍ଲାର ୟମକେଶ୍ୱର ଅଞ୍ଚଳରେ ଥିବା ପୁଲକିତ ଆର୍ଯ୍ୟଙ୍କ ଏକ ରିସର୍ଟରେ ଅଙ୍କିତା ରିସେପ୍ସନିଷ୍ଟ ଥିଲେ । ମିଡିଆ ରିପୋର୍ଟ ଅନୁସାରେ ଅଙ୍କିତା ସେପ୍ଟେମ୍ବର ୧୮ ତାରିଖରେ ନିଖୋଜ ହୋଇଯାଇଥିଲେ ।
୧୯ ତାରିଖରେ ତାଙ୍କ ପିତା ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ସୋସିଆଲ୍ ମିଡିଆରେ ତାଙ୍କ ଖୋଜଖବର ପାଇଁ କ୍ୟାମ୍ପେନ୍ ଚାଲିଥିଲା । ଶୁକ୍ରବାର ଲକ୍ଷ୍ମଣଝୁଲା ପୁଲିସ ପୁଲକିତ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ପାଇଁ ତିନି ଅଭିଯୁକ୍ତଙ୍କୁ ପୁଲିସ କୋଟଦ୍ୱାର ନେଉଥିବା ବେଳେ କ୍ରୋଧିତ ମହିଳାମାନେ ପୁଲିସ୍ ଭ୍ୟାନ୍ ରୋକି ଅଭିଯୁକ୍ତମାନଙ୍କୁ ମାଡ଼ ମାରିଥିବା ଜଣାଯାଇଛି । ଅବଶ୍ୟ ପୁଲିସ ଭିଡ଼ ମଧ୍ୟରୁ ସେମାନଙ୍କ ବଞ୍ଚାଇ କୋର୍ଟରେ ହାଜର କରାଇଥିଲା । କୋର୍ଟ ତିନି ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ଜୁଡ଼ିସିଆଲ୍ କଷ୍ଟଡିକୁ ପଠାଇଛନ୍ତି ।