ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସିଏମ ଯୋଗୀ ନିଜେ ଟ୍ୱିଟ କରି ଏନେଇ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ‘ଆରମ୍ଭରୁ ଲକ୍ଷଣ ଦେଖିବା ପରେ ମୁଁ କୋଭିଡ ପରୀକ୍ଷା କରାଇଥିଲି ଏବଂ ମୋ ରିପୋର୍ଟ ପଜିଟିଭ ଆସିଛି । ଏବେ ମୁଁ ଆଇସୋଲେସନରେ ରହିଛି ଓ ଚିକିତ୍ସକଙ୍କ ପରାମର୍ଶ ପାଳନ କରୁଛି । ସମସ୍ତ କାର୍ଯ୍ୟ ଭର୍ଚୁଆଲି ପାଳନ କରୁଛି । ଯେଉଁମାନେ ମୋ ସଂପର୍କରେ ଆସିଛନ୍ତି, ସେମାନେ କୋଭିଡ ପରୀକ୍ଷା କରାଇ ନେବାକୁ’ ସେ ଅନୁରୋଧ କରିଛନ୍ତି ।
କରୋନା ଭାଇରସ ଏବେ ୟୁପି ସିଏମଙ୍କ ଅଫିସ ଯାଏଁ ବି ପହଂଚିସାରିଛି । ସେଥିପାଇଁ ଉତ୍ତପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜକୁ ଆଇସୋଲେଟ କରିନେଇଛନ୍ତି । ତାଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଟ୍ୱିଟର ମାଧ୍ୟମରେ ଯୋଗୀ କାଲି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରିଥିଲେ, ‘ମୋ କାର୍ଯ୍ୟାଳୟର କିଛି ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ଅଧିକାରୀ ମୋ ସଂପର୍କରେ ରହିଛନ୍ତି’ ।
ସମାଜବାଦୀ ପାର୍ଟିର ମୁଖ୍ୟ ଓ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବି କରୋନା ସଂକ୍ରମିତ ହୋଇଛନ୍ତି । ସେ ମଧ୍ୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।