ମୁମ୍ବାଇ: ବିସିସିଆଇ ମେଣ୍ଟାଲ୍ କଣ୍ଡିସନିଂ ଏକ୍ସପର୍ଟ ପ୍ୟାଡି ଅପ୍ଟନ୍ଙ୍କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ମେଣ୍ଟାଲ୍ କଣ୍ଡିସନିଂ କୋଚ୍ ନିଯୁକ୍ତ କରିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ପାଇଁ ଅପ୍ଟନ୍ ଟିମ୍ ସହିତ ଯୋଗ ଦେଇଥିବା ବିସିସିଆଇ ସୂତ୍ରରୁ ଜଣାପଡ଼ିଛି । ଚଳିତ ବର୍ଷ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟ୍ ପର୍ଯ୍ୟନ୍ତ ସେ କୋଚ୍ ରାହୁଲ୍ ଦ୍ରାବିଡ୍ଙ୍କ ଟିମ୍ ସହ କାର୍ଯ୍ୟ କରିବେ । ପୂର୍ବରୁ ଭାରତୀୟ ଟିମ୍ ସହିତ କାର୍ଯ୍ୟ କରିଥିବା ଅପ୍ଟନ୍ ୨୦୧୧ରେ ଟିମ୍କୁ ବିଶ୍ୱକପ୍ ଟାଇଟଲ୍ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଆଗାମୀ ଟି-୨୦ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଟିମ୍ ମ୍ୟାନେଜମେଣ୍ଟ୍ ତାଙ୍କୁ ଟିମ୍ ସହ ଯୋଗଦେବାକୁ ଅନୁରୋଧ କରିଥିବା ଜଣାଯାଇଛି । ଭାରତୀୟ ଟିମ୍ ୨୦୧୩ ପରଠାରୁ ଗୋଟିଏ ବି ଆଇସିସି ଇଭେଣ୍ଟ୍ ଜିତିନାହିଁ ଏବଂ ଦ୍ରାବଡ୍ର ଦିଗ୍ଦର୍ଶନରେ ଟାଇଟଲ୍ ହାସଲ ଉଦ୍ଦେଶ୍ୟରେ ରହିଛି । ପ୍ରଥମେ ଭାରତୀୟ ଟିମ୍ରେ ଏବଂ ପରେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ ଡେୟାର୍ଡେଭିଲ୍ସ ସହ କାମ କରିଥିବା ସାଉଥ୍ ଆଫ୍ରିକୀୟ ଅପ୍ଟନ୍ଙ୍କର ଦ୍ରାବିଡ୍ଙ୍କ ଭଲ ସମ୍ବନ୍ଧ ରହିଛି । ଏପରିକି ଦ୍ରାବିଡ୍ ଅପ୍ଟନ୍ଙ୍କ ଏକ ପୁସ୍ତକରେ ତାଙ୍କୁ ପ୍ରଶଂସା କରି ଲେଖିଥିଲେ ।