ନୂଆଦିଲ୍ଲୀ: କେନ୍ଦ୍ରୀୟ ଭାରତର ତିନିଟି ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବିଜେପି ପିବୁଳ ବିଜୟ ହାସଲ କରି ସରକାର ଗଠନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଡିଏମ୍କେ ସାଂସଦ ଏସ.ସେନ୍ଥିଲକୁମାର ଏକ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଛନ୍ତି । ମଙ୍ଗଳବାର ଲୋକସଭାରେ ଏକ ବିତର୍କରେ ଭାଗ ନେଉଥିବାବେଳେ ସେନ୍ଥିଲ କହିଥିଲେ ଯେ ‘ଗୋମୁତ୍ର ଓ ଗୋବରକୁ ପବିତ୍ର କୁହାଯାଉଥିବା ରାଜ୍ୟରେ ହିଁ ବିଜେପି କେବଳ ନିର୍ବାଚନ ଜିତିପାରିବ । ଦକ୍ଷିଣ ଭାରତରେ ବିଜେପି ଜିତିବା ଅସମ୍ଭବ’ ।
ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେନ୍ଥିଲ ସୋସିଆଲ ମିଡିଆରେ ପ୍ରଥମେ କ୍ଷମାପ୍ରାର୍ଥନା କରିଥିବାବେଳେ ବୁଧବାର ଲୋକସଭାରେ ମଧ୍ୟ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି । ମନ୍ତବ୍ୟ ଦେବା ସମୟରେ ମୁଁ ଭୁଲ ଶବ୍ଦ ପ୍ରୟୋଗ କରିଥିବାରୁ ଦୁଃଖିତ ବୋଲି ସେ କହିଛନ୍ତି । ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ମଧ୍ୟ ସେନ୍ଥିଲଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।