ନୂଆଦିଲ୍ଲୀ: ୨୦୨୧ ପରେ ଭାରତରେ ୟୁନିକର୍ନ ଷ୍ଟାର୍ଟଅପ୍ କମ୍ପାନୀ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ସର୍ବନିମ୍ନ ୧୦୦ କୋଟି ଆମେରିକୀୟ ଡଲାର ପୁଞ୍ଜି ବିନିଯୋଗରେ ପ୍ରତିଷ୍ଠା କରାଯାଇଥିବା ଘରୋଇ କମ୍ପାନୀକୁ ‘ୟୁନିକର୍ନ ଷ୍ଟାର୍ଟଅପ୍’ ମାନ୍ୟତା ପ୍ରଦାନ କରାଯାଇଥାଏ । ଏକବର୍ଷ ମଧ୍ୟରେ ଏଭଳି ସ୍ଥିତି ଏକ ଶୁଭ ଲକ୍ଷଣ ବୋଲି ମୋଦୀ କହିଛନ୍ତି । ହାଇଦ୍ରାବାଦରେ ଚାଲିଥିବା ‘ୟୁନାଇଟେଡ ନେସନ୍ସ ୱାର୍ଲ୍ଡ ଜିଓସ୍ପାସିଆଲ ଇଣ୍ଟରନ୍ୟାସନାଲ କଂଗ୍ରେସ’କୁ ଭର୍ଚୁଆଲ ପ୍ଲାଟଫର୍ମରେ ସମ୍ବୋଧିତ କରି ମୋଦୀ ଆହୁରି କହିଛନ୍ତି ଯେ ନୂତନତ୍ୱ ସୃଷ୍ଟି କରିବା ଲକ୍ଷ୍ୟ ନେବାରେ ଭାରତ ହେଉଛି ଏକ ଯୁବ ରାଷ୍ଟ୍ର । ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ‘ଅନ୍ତ୍ୟୋଦୟ’ ଯୋଜନା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ।
ଲାଇନର ସବାଶେଷରେ ଛିଡା ହୋଇଥିବା ବ୍ୟକ୍ତିକୁ ଶକ୍ତିଶାଳୀ କରିବାକୁ ତାଙ୍କ ସରକାର ବଦ୍ଧ ପରିକର ବୋଲି ସେ ମତବ୍ୟକ୍ତ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୧ କୋଟି ପରିବାରକୁ ଶୌଚାଳୟ ସୁବିଧା ଯୋଗାଇ ଦିଆଯାଇଥିବାବେଳେ ୬୦ ନିୟୁତ ପରିବାର ପାଇପ୍ ପାଣି ସୁବିଧା ପାଉଛନ୍ତି । ଟେକ୍ନୋଲୋଜି ଓ ଟ୍ୟାଲେଣ୍ଟ (କାରିଗରୀକୌଶଳ ଓ ପ୍ରତିଭା) ଭାରତର ବିକାଶ ପ୍ରକ୍ରିୟାର ଦୁଇଟି ବଳିଷ୍ଠ ସ୍ତମ୍ଭ ବୋଲି ସେ କହିଛନ୍ତି । ଭାରତର ବିକାଶ ପ୍ରକ୍ରିୟାରେ ଜିଓସ୍ପାସିଆଲ ଟେକ୍ନୋଲୋଜିର ଯଥେଷ୍ଟ ଭୂମିକା ରହିଥିବା ମୋଦୀ କହିଛନ୍ତି । ଭାରତରେ ପିଏମ୍ ଗତିଶକ୍ତି ମାଷ୍ଟର ପ୍ଲାନ ଓ ଡିଜିଟାଲ ଓସିଏନ୍ ପ୍ଲାଟଫର୍ମ ଜିଓସ୍ପାସିଆଲ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହୋଇପାରୁଛି। ସହରାଞ୍ଚଳର ବିକାଶ, ବିପର୍ଯ୍ୟୟ ପ୍ରଶମନ, ଜଳବାୟୁ ପରିବର୍ତ୍ତନ ଉପରେ ନଜର, ଜଙ୍ଗଲ ପରିଚାଳନା, ଜଳ ପରିଚାଳନା ଓ ଖାଦ୍ୟ ନିରାପତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାଗୁଡିକ ଜିଓସ୍ପାସିଆଲ ଟେକ୍ନୋଲୋଜି ଦ୍ୱାରା ସମାଧାନ ହୋଇପାରୁଥିବା ମୋଦୀ କହିଛନ୍ତି ।