29.7 C
Bhubaneswar
Wednesday, June 18, 2025
Homeଦେଶ ବିଦେଶଅବିଶ୍ୱସନୀୟ ଘଟଣା: ରଖେ ହରି ତ ମାରେ କିଏ; ନିଖୋଜର ୪୦ ଦିନ ପରେ ଆମାଜନ...

ଅବିଶ୍ୱସନୀୟ ଘଟଣା: ରଖେ ହରି ତ ମାରେ କିଏ; ନିଖୋଜର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହେଲେ ୪ ଭାଇଭଉଣୀ

ନୂଆଦିଲ୍ଲୀ: ବିଶ୍ୱାସ ନହେଲେ ବି ସତ୍ୟ । ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀଙ୍କୁ ଦୀର୍ଘ ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ସମସ୍ତେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରି ଏକ ଅବିଶ୍ୱନୀୟ ଘଟଣା ଘଞ୍ଚ ଆମାଜନ ଜଙ୍ଗଲରେ ଘଟିଥିବା ବେଳେ ଏହାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ଚାଲିଛି । ବିଶାଳ ଗ୍ରୀଷ୍ମମଣ୍ଡଳୀୟ ବର୍ଷାରଣ୍ୟ ଆମାଜନରୁ ଏହି ୪ ଶିଶୁ ଉଦ୍ଧାର ହେବା କୌଣସି ଚମତ୍କାରଠୁ କମ୍ ନୁହେଁ ବୋଲି କହିଛନ୍ତି କୋଲୋମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ ।

ଉଦ୍ଧାର ହୋଇଥିବା ପିଲାମାନଙ୍କ ବୟସ ଯଥାକ୍ରମେ ୧୩, ୯, ୪ ବର୍ଷ ଓ ୧୧ ମାସ । ଗତ ମେ ୧ ତାରିଖରେ ୭ ଜଣଙ୍କୁ ଧରି ଯାଉଥିବା ଗୋଟାଏ କ୍ଷୁଦ୍ର ବିମାନ ଆମାଜନ ଜଙ୍ଗଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନର ଭଗ୍ନାବଶେଷ ସହ ୩ ଜଣଙ୍କ ମୃତଦେହକୁ ଠାବ କରାଯାଇଥିବା ବେଳେ ନିଖୋଜ ଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ମିଳିପାରି ନ ଥିଲା । ମୃତଦେହକୁ କୌଣସି ବନ୍ୟଜନ୍ତୁ ଖାଇଦେଇଥିବେ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ସାଟ୍‌ଲାଇଟ୍ ଚିତ୍ରରୁ ୪ ଜଣ ଶିଶୁ ଆମାଜନ ଜଙ୍ଗଲରେ ଜୀବୀତ ଅଛନ୍ତି ବୋଲି ଅନୁମାନ କରାଯାଉଥିଲା । ଏହାପରେ ସେମାନଙ୍କ ସନ୍ଧାନ ନିମନ୍ତେ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଖାନତଲାସୀ ଚାଲିଲା । ଏହି ପିଲାମାନେ ଆମାଜନ ଜଙ୍ଗଲରେ ଥିବା ବେଳେ ଦୀର୍ଘ ୪୦ ଦିନ ହେବ ଫଳମୂଳ ଖାଇ ବଞ୍ଚି ରହିଥିଲେ । ଦୀର୍ଘ ଦିନର ଖାନତଲାସୀ ପରେ ସନ୍ଧାନୀକାରୀ ଦଳ ଆମାଜନ ଜଙ୍ଗଲରେ ମାଟିରେ ଛୋଟ ପାଦଚିହ୍ନ ଦେଖିବାକୁ ପାଇଥିଲେ । କିଛି ବାଟ ଯିବା ପରେ ଖଣ୍ଡିଆ ଫଳ ପଡ଼ିଥିବା ସେମାନଙ୍କ ନଜରକୁ ଆସିଥିଲା ।

ହୁଏତ ପିଲାମାନେ ପଞ୍ôଚଥିବେ ଅନୁମାନ କରି ଉଦ୍ଧାରକାରୀ ଦଳ ଆଗକୁ ଆଗକୁ ବଢ଼ିଥିଲେ । ଆଉ କିଛି ବାଟ ଯିବା ପରେ ସେମାନେ ଏକ ଚୋଟିଆ କୁଟୀର ପାଇଥିଲେ । ଏହା କିପରି ସମ୍ଭବ ହେଲା ବୋଲି ସେମାନେ ଭାବିଥିଲେ । ତେଣୁ ପିଲାମାନେ ଦୁର୍ଘଟଣାଗ୍ରସ୍ତ ବିମାନ ପଡ଼ିଥିବା ଅଞ୍ଚଳରେ ଚଳପ୍ରଚଳ କରୁଥିବା ଅନୁମାନ କରି ତଲାସୀ ଅଭିଯାନକୁ ଜୋରଦାର କରିଥିଲେ । ଏହାପରେ ସେମାନେ ଘଞ୍ଚ ଜଙ୍ଗଲରେ ପିଲାମାନଙ୍କୁ ଠାବ କରିଥିଲେ । ସମସ୍ତେ ବଞ୍ଚିଥିବା ଦେଖି ନିଜ ଆଖିକୁ ଉଦ୍ଧାରକାରୀ ଦଳ ବିଶ୍ୱାସ କରି ପାରି ନ ଥିଲେ । ସେମାନଙ୍କ ଶରୀର କ୍ଷୀଣ ହୋଇ ଯାଇଥିବା ବେଳେ ସେମାନେ ଖୁବ୍ ଦୁର୍ବଳ ଦେଖାଯାଉଥିଲେ । ଉଦ୍ଧାରକାରୀ ଦଳ ତୁରନ୍ତ ସେମାନଙ୍କୁ ବିମାନ ଯୋଗ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି । ଏବେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାଯାଇଛି । ଆମାଜନ ଜଙ୍ଗଲର ଆୟତନ ହେଉଛି ୨୭ ଲକ୍ଷ ବର୍ଗ କିଲୋମିଟର । ୯ଟି ଦେଶକୁ ବ୍ୟାପି ଏହି ଜଙ୍ଗଲ ରହିଛି । ଏହାର ୬୦ ପ୍ରତିଶତ ଅଂଶ ବ୍ରାଜିଲ ଅଧୀନରେ ରହିଛି ।

ଏହା ଅତ୍ୟନ୍ତ ଘଞ୍ଚ ଓ ଏଥିରେ ଭୟଙ୍କର ଜୀବଜନ୍ତୁମାନେ ବାସ କରୁଛନ୍ତି । ଆମଜନ ଜଙ୍ଗଲରେ ପ୍ରବେଶ କଲେ ଏଥିରୁ ଉଦ୍ଧାର ହେବା ଏତେ ସହଜ ନୁହେଁ । ଅଧିକାଂଶ ସମୟ ଏହି ଜଙ୍ଗଲରେ ବର୍ଷା ହେଉଥାଏ । ପ୍ରତିକୂଳ ପରିବେଷ ମଧ୍ୟରେ ଏହି ପିଲାମାନେ କିପରି ଏତେ ଦିନ ବଞ୍ôଚରହିଲେ ତାହା ସହଜରେ ବିଶ୍ୱାସ କରିହେଉ ନାହିଁ । କେବଳ ଇଶ୍ୱରଙ୍କ ଇଛା ବିନା ଏହି ଜଙ୍ଗଲରେ ବଞ୍ôଚରହିବା ସମ୍ଭବ ନୁହେଁ । କୋଲୋମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ ପିଲାଙ୍କ ଉଦ୍ଧାର ବେଳର ଫୋଟ ପୋଷ୍ଟ କରି, ଏହା ଚମତ୍କାର, ସମଗ୍ର ଦେଶ ପାଇଁ ଏହା ଖୁବ୍ ଆନନ୍ଦର ବିଷୟ ବୋଲି କହିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ତିଷ୍ଠି ରହିବାର ଏହା ପ୍ରକୃଷ୍ଟ ଉଦାହରଣ । ଏହି ପିଲାମାନଙ୍କ କଥା ଇତିହାସରେ ବି ଲିପିବଦ୍ଧ ରହିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ଉଦ୍ଧାର ହୋଇଥିବା ପିଲାମାନଙ୍କ ପରିବାର ସମ୍ପର୍କରେ ସୂଚନା ମିଳି ପାରି ନ ଥିବା ବେଳେ ସେମାନଙ୍କ ମା’, ଜଣେ ଆତ୍ମୀୟ ଓ ପାଇଲଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାଯାଇଛି । ତେବେ ଏହି ପିଲାମାନେ କୌଣସି ଅଭିଜ୍ଞତା ନ ଥାଇ ଘଞ୍ଚ ଆମାଜନ ଜଙ୍ଗଲରେ କିପରି ଦୀର୍ଘ ୪୦ ଦିନ ତିଷ୍ଠି ପାରିଲେ, କ’ଣ ଖାଇଲେ, ରାତି କିପରି କାଟିଲେ, ଛୋଟ ଛୁଆର ଯତ୍ନ କିପରି ନେଲେ ତାହା ପ୍ରଶ୍ୱବାଚୀ ହୋଇ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking