ରାଜସ୍ଥାନ : ବୃଦ୍ଧି ପାଉଛି ତାପମାତ୍ରା । ଏହି ସମୟରେ ରାଜସ୍ଥାନରେ ଅସହ୍ୟ ତାତି ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ରାଜସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା କାରଣରୁ ଜଣେ ବିଏସଏଫ ଯବାନଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଭାରତ-ପାକିସ୍ତାନର ଜୈସଲମେର ବର୍ଡରରେ ଦେଶକୁ ସୁରକ୍ଷା ଦେବା ପାଇଁ ବିଏସଏଫ ଯବାନମାନେ ନିୟୋଜିତ ହୋଇଛନ୍ତି । କିନ୍ତୁ ତାପମାତ୍ରା ଏତେ ଅଧିକ ଯେ, ଅଂଶୁଘାତରେ ଜଣେ ବିଏସଏଫ ଯବାନଙ୍କର ଜୀବନ ଚାଲିଯାଇଛି । ବର୍ଡରରେ ଡିଉଟି କରୁଥିବା ସମୟରେ ତାତି ଅସହ୍ୟ ହେବାରୁ ଜଣେ ବିଏସଏଫ ଯବାନ ଅସୁସ୍ଥ ହୋଇଯାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଯବାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।