ୱାଶିଂଟନ: ଉତ୍ତର କୋରିଆର ପରମାଣୁ ଏବଂ ବାଲେଷ୍ଟିକ୍ ମିସାଇଲ୍ କାର୍ଯ୍ୟକ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆମେରିକା ଶୁକ୍ରବା ରୁଷ୍ର ଦୁଇଟି ବ୍ୟାଙ୍କ ଉପରେ କଟକଣା ଲାଗୁ କରିଛି । ଉତ୍ତର କୋରିଆ ଗତ ମଙ୍ଗଳବାର ତିନିଟି ନୂଆ ବାଲେଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିବା ପରେ ଆମେରିକା ଏହି କଟକଣା ଲାଗି କରିଛି । ତିନି ମିସାଇଲ୍ ମଧ୍ୟରୁ ଗୋଟିଏ କଣ୍ଟିନେଣ୍ଟାଲ୍ ବାଲେଷ୍ଟିକ୍ ମିସାଇଲ୍ ମଧ୍ୟ ସାମିଲ ଥିଲା ।
ଆମେରିକୀୟ ଅର୍ଥ ବିଭାଗ କଟକଣା ସମ୍ପର୍କରେ ଘୋଷଣା କରି କହିଛି କଟକଣା ଲାଗୁ କରାଯାଇଥିବା ଦୁଇ ରୁଷୀୟ ବ୍ୟାଙ୍କ ହେଲେ ଫାର୍ ଇଷ୍ଟର୍ଣ୍ଣ ଓ ସ୍ପୁଟ୍ନିକ୍ । ରୁଷ୍ ଦ୍ୱାରା ଜାତିଂଘରେ ଉତ୍ତର କୋରିଆ ପକ୍ଷରେ ଭିଟୋ ପାୱାର୍ ବ୍ୟବହାର କରିବାକୁ ନେଇ ଏହି କଟକଣା ଲାଗୁ କରାଯାଇଥିବା କୁହାଯାଉଛି । ଉତ୍ତର କୋରିଆର ବାଲେଷ୍ଟିକ୍ ମିସାଇଲ୍ ପରୀକ୍ଷଣ ପରେ ଆମେରିକା ତା’ ବିରୋଧରେ ନୂଆ କଟକଣା ଲାଗୁ ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଆଣିଥିଲା । ଏହି ପ୍ରସ୍ତାବ ଉପରେ ଚୀନ୍ ଓ ରୁଷ୍ ଭିଟୋ ପାୱାର୍ ବ୍ୟବହାର କରିବା ସହ ବିରୋଧ କରିଥିଲେ ।