ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷା ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ । ଏହା ପୂର୍ବରୁ ଆଜିଠୁ ହବ୍ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ହୋଇଥିବା ସମୁଦାୟ ୨୦୧ ହବ୍କୁ ଆଗାମୀ ୪ ଦିନ ଭିତରେ ସମସ୍ତ ପ୍ରଶ୍ନପତ୍ର ପହଞ୍ଚିବ । କଡ଼ା ସୁରକ୍ଷା ଭିତରେ ଷ୍ଟ୍ରଙ୍ଗରୁମ୍ରେ ହବ୍ ଭିତରେ ପ୍ରଶ୍ନପତ୍ର ରହିବ ।
ଚଳିତ ଥର ପରୀକ୍ଷା ସ୍ୱାଭାବିକ ଭାବେ ଅଫ୍ଲାଇନ୍ରେ କରାଯିବ । ପରୀକ୍ଷାକୁ ସୁପରିଚାଳନା କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ଚଳିତ ଥର ୨୦୧ ସ୍କୁଲ ବା କଲେଜ ଏବଂ ଗୋଟିଏ ସବ୍ ଟ୍ରେଜେରି ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) ହୋଇଛି । ୧୧୩୩ କେନ୍ଦ୍ରର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାକୁ କିଭଳି ତ୍ରୁଟିଶୂନ୍ୟ କରାଯିବ ସେନେଇ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଛି ।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରୀକ୍ଷାକୁ କଡ଼ାକଡ଼ି କରିବାକୁ ସବୁ କେନ୍ଦ୍ରରେ ସିସିଟିଭି ଲାଗିଛି । ହବ୍ରେ ୨୪ ଘଣ୍ଟା ସିସିଟିଭି ନଜରରେ ପ୍ରଶ୍ନପତ୍ର ରହିବ । ସବୁ ପରୀକ୍ଷା ଦିନ ସକାଳ ୬ଟାରୁ ୭ଟା ମଧ୍ୟରେ ପ୍ରଶ୍ନପତ୍ର ଗୁଡ଼ିକୁ ହବ୍ରୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ । ସମସ୍ତ କେନ୍ଦ୍ରରେ ୮ଟା ସୁଦ୍ଧା ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷା କେନ୍ଦ୍ରରେ ଇନ୍ଭିଜିଲେଟର, ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତରେ ପ୍ରଶ୍ନପତ୍ର ଖୋଲାଯିବ । ପିଲାଙ୍କୁ ପ୍ରଶ୍ନପତ୍ର ବଣ୍ଟାସରିବା ପରେ ପରୀକ୍ଷକମାନେ ପରୀକ୍ଷା କେନ୍ଦ୍ରରୁ ସମସ୍ତ ବଳକା ପ୍ରଶ୍ନପତ୍ରକୁ ସଂଗ୍ରହ କରି ଏସବୁକୁ ସିଲ୍ କରିବେ ।
ପରୀକ୍ଷା ସମୟରେ କେନ୍ଦ୍ରରେ ମୋବାଇଲ୍ ଫୋନ୍ କିମ୍ବା ଅନ୍ୟ ବୈଦୁତିକ ଉପକରଣ ବ୍ୟବହାର କରାଯାଇପାରିବ ନାହିଁ । କୌଣସି ଛାତ୍ରଛାତ୍ରୀ, ପରୀକ୍ଷକ ତଥା ଅନ୍ୟ କର୍ମଚାରୀମାନେ କେନ୍ଦ୍ର ଭିତରକୁ ମୋବାଇଲ୍ ନେଇ ଯାଇପାରିବେ ନାହିଁ । କେନ୍ଦ୍ର ଅଧୀକ୍ଷକଙ୍କୁ ପରୀକ୍ଷକ, ଅନ୍ୟ ଅଫିସର୍, ତଦାରଖକାରୀ, ଅନ୍ୟାନ୍ୟ କର୍ମଚାରୀମାନେ କେନ୍ଦ୍ର ଅଧୀକ୍ଷକଙ୍କୁ ମୋବାଇଲ୍ ଫୋନ୍, କ୍ୟାମେରା, ବୈଦୁତିକ ଉପକରଣ ହସ୍ତାନ୍ତର କରିବେ ।
କେବଳ ଅଧୀକ୍ଷକ ଅନ୍ୟ କର୍ତ୍ତୃପକ୍ଷକଙ୍କ ସହ ଯୋଗାଯୋଗ କରିବା ପାଇଁ ମୋବାଇଲ୍ ଫୋନ୍ ବ୍ୟବାହର କରିପାରିବେ । ପରୀକ୍ଷା ଆରମ୍ଭ ପୂର୍ବରୁ ଗେଟ୍ରେ ସମସ୍ତ ପରୀକ୍ଷାର୍ଥୀଙ୍କ ଚେକିଂ କରାଯିବ । ଛାତ୍ରଛାତ୍ରୀମାନେ ପରୀକ୍ଷା ଆରମ୍ଭର ଅଧାଘଣ୍ଟା ପୂର୍ବରୁ ହଲ୍ ଭିତରକୁ ଯାଇପାରିବେ । ୧୫ ମିନିଟ୍ ପୂର୍ବରୁ ନିଜ ସିଟ୍ରେ ଯାଇ ବସିବେ । ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯିବ। ପୁଅ ଓ ଝିଅଙ୍କ ପାଇଁ ଅଲଗା ଶୌଚାଳୟ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।