ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେନସନରେ ଘଟିଥିବା ଭୟଙ୍କର ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ରାଜ୍ୟରେ ତାପରକୁ ତାପର ଘଟି ଚାଲି ଅନେକ ରେଳ ଦୁର୍ଘଟଣା । ଶନିବାର ସକାଳେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ୱାଗନରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଥିଲା । ଏହା ଦେଖି ଷ୍ଟେସନରେ ଛିଡା ହୋଇଥିବା ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ ।
ସୂଚନା ମୁତାବକ, ଭଦ୍ରକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ବାଲୁଗାଁ ୨ନଂ ପ୍ଲାଟଫର୍ମରେ ଅଟକି ଥିବା ବେଳେ ଏହାର ଗୋଟିଏ ୱାଗନରୁ ହଠାତ୍ ଧୂଆଁ ବାହାରିଥିଲା। ଖବର ପାଇ ଘଟଣାସ୍ଥଳରେ ବାଲୁଗାଁ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଧୂଆଁକୁ ଆୟତ୍ତ କରିଥିଲା। ତେବେ ପରିସ୍ଥିତି ସ୍ୱାଭାବିକ ଥିବାବେଳେ କୌଣସି ଅଘଟଣ ଘଟି ନଥିବା ଜଣାପଡ଼ିଛି । ଅତ୍ୟନ୍ତ ଗରମ କାରଣରୁ ଏପରି ହୋଇଥାଏ ପାରେ ବୋଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।
ସେପେଟେ ଆଜି ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ୨ ଦିନ ଧରି ବାଲେଶ୍ବର ରୁପ୍ସା ଷ୍ଟେସନରେ ଛିଡ଼ା ହୋଇଥିଲା । ଶନିବାର ଦିନ ସକାଳେ ଏଥିରୁ ହଠାତ୍ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଟ୍ରେନରେ ନିଆଁ ଲାଗିଥିବା ଅନୁମାନ କରି ଷ୍ଟେସନ କର୍ମଚାରୀ ଦମକଳ ବାହାନୀଙ୍କ ସାହାଯ୍ୟରେ ପାଣି ପକାଇଥିଲେ । ପ୍ରକାଶ ଥାଉ କି, ଧୂଆଁ ବାହାରିବା ବନ୍ଦ ହେବା ପରେ ଗାଡ଼ିଟି ଷ୍ଟେସନରୁ ଚାଲିଯାଇଛି ।