ଚାମୋଲି: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ଖବର ମୁତାବକ ବୁଧବାର ସକାଳ ୧୦ଟା ୨୧ ମିନିଟରେ ଚାମୋଲି ଜିଲ୍ଲାରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୪.୧ ରହିଥିବା ବେଳେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ସେହିପରି ସକାଳ ୧୦ଟା ୫୨ ମିନିଟରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୨.୮ ରେକର୍ଡ କରାଯାଇଥିବା ବେଳେ ଭୂପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ଥିଲା । ଅଳ୍ପ ସମୟ ବ୍ୟବଧାନରେ ଦୁଇଥର ଭୂକମ୍ପ ହେବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ତେବେ ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇଥିବାର ସୂଚନା ନାହିଁ ।










