ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ନଟଖଟା ଗାଁରେ ଅଘଟଣ । କୂଅରେ ପଡି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ନଟଖଟା ଗାଁର କମ୍ପାନୀ ପ୍ରଧାନଙ୍କୁ ଦୁଇ ପୁଅ । ସେମାନଙ୍କ ବୟସ ୪ ବର୍ଷ ଏବଂ ୬ ବର୍ଷ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଢେଙ୍କାନାଳ ମଧୁସାହୁ ପାଟଣା ପଞ୍ଚାୟତ ବିମ୍ବୋଳି ନଟକଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ଶିଶୁ ଦୁଇଜଣ ନଟଖଟା ଗାଁର କମ୍ପାନୀ ପ୍ରଧାନଙ୍କ ଦୁଇ ପୁଅ ୬ବର୍ଷର ରଞ୍ଜିତ ପ୍ରଧାନ ଓ ୪ ବର୍ଷର ସଞ୍ଜିତ ପ୍ରଧାନ ବୋଲି ଜଣାପଡିଛି। ବାପା କମ୍ପାନୀ ପ୍ରଧାନ ଓ ମା ସରସ୍ୱତୀ ପ୍ରଧାନ ଶନିବାର ଘରେ ଦୁଇପୁଅ ଓ ଝିଅକୁ ଘରେ ଛାଡି ଧାନ କାଟିବାକୁ ଯାଇଥିଲେ। ଫେରି ଦେଖିବା ବେଳକୁ ଦୁଇ ପୁଅ ନିଖୋଜ ଥିଲେ। ଗ୍ରାମବାସୀ ଓ ଭାପୁର ପୋଲିସ ବହୁ ଖୋଜାଖୋଜି କରି ନପାଇ ନିରାଶ ହୋଇଥିଲେ।
ଶେଷରେ ରବିବାର ଦିନ ସକାଳୁ ଘରଠାରୁ ଅଳ୍ପ ଦୁରରେ ଥିବା ଏକ କୁଅରେ ଦୁଇ ଶିଶୁ ପଡିଥିବାର ଦେଖିଥିଲେ ଗ୍ରାମବାସୀ। ପରେ କୂଅ ଭିତରୁ ଦମକଳ ବାହିନୀ ସହାୟତାରେ ଉଭୟ ମୃତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ଦୁଇ ଶିଶୁଙ୍କ ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।