ଭୁବନେଶ୍ୱର: କର୍ପୋରେଟର ପ୍ରାର୍ଥୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ନାଗେଶ୍ୱର ଟାଙ୍ଗି, ଭୋଇ ସାହିର କୁନା ଓରଫ୍ ସୋମନାଥ ହାତି(୨୮) ଓ ବିଜେବି ନଗର ମ୍ୟୁଜିୟମ୍ କଲୋନୀର ଲିଟୁନ୍ ସ୍ୱାଇଁ (୨୮) । ଉଭୟଙ୍କ ଜାମିନ୍ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଚଳିତ ପୌର ନିର୍ବାଚନରେ ୫୫ ନମ୍ବର ୱାର୍ଡର କର୍ପୋରେଟର ପ୍ରାର୍ଥୀ ଭାବେ ନୃପେଶ ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସୋମବାର ଅଭିଯୁକ୍ତ କୁନା ଓ ଲିଟୁନ୍ ନୃପେଶଙ୍କ ବାସଭବନରେ ବଳପୂର୍ବକ ପ୍ରବେଶ କରି ୨ଲକ୍ଷ ଟଙ୍କା ଦାଦବାଟି ମାଗିଥିଲେ । ହେଲେ ସେ ଦେବାକୁ ମନା କରିଦେବାରୁ ସେମାନେ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏ ନେଇ ଶ୍ରୀ ନାୟକ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । କମିଶନରେଟ୍ ପୁଲିସ ପକ୍ଷରୁ ଦାଦାବଟିକୁ ନା’ ଅଭିଯାନରେ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ବୁଲେଟ୍ ମଧ୍ୟ ଜବତ ହୋଇଥିବା ପୁଲିସ କହିଛି ।