ଖଲ୍ଲିକୋଟ: ବାରହା ଫାସରେ ପଡିଲା ଭାଲୁ । ଦୀର୍ଘ ୧୨ ଘଣ୍ଟାର କସରତ ପରେ ଭାଲୁକୁ ଉଦ୍ଧାର କରିଛି ବନ ବିଭାଗ । ଦୁଇ ଦୁଇ ଥର ଟ୍ରାଙ୍କୁଲାଇଜର ପରେ ଭାଲୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପ୍ରଥମ ଥର ଟ୍ରାଙ୍କୁଲାଇଜର କରି ଜନ୍ତାରେ ଭରିବା ସମୟରେ ଖସି ଯାଇଥିଲା ଭାଲୁ । ତେଣୁ ପୁଣି ଟ୍ରାଙ୍କୁଲାଇଜର କରି ଭାଲୁକୁ ଧରିଲା ବନ ବିଭାଗ । ରବିବାର ବିଳମ୍ବିତ ରାତିରେ ଭାଲୁଟି ଖଲ୍ଲିକୋଟ ବ୍ଲକ ପାରିନୂଆ ଗାଁ ବାହୁତି ମନ୍ଦିର ନିକଟ ଜଙ୍ଗଲରେ ବାରହା ଶିକାର ପାଇଁ ସ୍ତାନୀୟ ଲୋକ ବିଛାଇଥିବା ବାରାହା ଫାସରେ ଭାଲୁଟି ଫସିଯାଇଥିଲା । ଆଜି ସକାଳୁୁ ସ୍ଥାନୀୟ ଲୋକ ଯାଉଥିବା ବେଳେ ଭାଲୁଟି ଫାସରେ ଲାଗିଥିବା ଦେଖି ବନ ବିଭାଗକୁ ଜଣାଇଥିଲେ । ସେଠାରେ ଖଲ୍ଲିକୋଟ ବନ ବିଭାଗ ଚେଷ୍ଟାକରି ନାକେଦମ ହେବା ପରେ ବ୍ରହ୍ମପୁରରୁ ଓାଇଲ୍ଡ ଲାଇଫ ବିଶେଷଜ୍ଞ ଟିମ୍ ଆସି ଟ୍ରାଙ୍କୁଲାଇଜର କରିବା ପରେ ଭାଲୁଟିକୁ ଉଦ୍ଧାର କରାଯାଇଥିଲା ।
ଘଟଣା ସ୍ଥଳରେ ବ୍ରହ୍ମପୁର ଏସିଏଫ୍ ଅଶୋକ କୁମାର ବେହେରା, ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଜ୍ୟୋର୍ତିମୟ ଦାଶ ଓ ଖଲ୍ଲିକୋଟ ବନ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ ରହି ଭାଲୁଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ଭାଲୁକୁ ନାରାୟଣୀ ଫରେଷ୍ଟ ବିଟ ହାଉସରେ ରଖି ଚିକିତ୍ସା କରିବା ପରେ ଜଙ୍ଗଲରେ ଛାଡି ଦିଆଯାଇଛି ବୋଲି ଖଲ୍ଲିକୋଟ ରେଞ୍ଜର କହିଛନ୍ତି । ବାରହା ଚାଷୀଙ୍କ ଫସଲ ନଷ୍ଟ କରୁଛି । ତେଣୁ ସ୍ତାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ପକାଯାଇଥିବା ବାରହା ଫାସରେ ଅନ୍ୟ ଜୀବଜନ୍ତୁ ଲାଗି ଅକାଳରେ ପ୍ରାଣ ହରାଉଥିବା ଘଟଣା ବହୁବାର ନଜରକୁ ଆସିଛି । ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଲୋପ ପାଇଯାଉଥିବା ଜୀବଜନ୍ତଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।