ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ତାଙ୍କର ସହ-କଳାକାର ତଥା ପୂର୍ବତନ ପ୍ରେମିକ ସିଜାନ୍ ଖାନ୍ଙ୍କ ରିମାଣ୍ଡ ଅବଧିକୁ ଚଳିତମାସ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମୁମ୍ବାଇ ପୁଲିସ ସିଜାନ୍ଙ୍କୁ ରବିବାର ଗିରଫ କରିଥିବାବେଳେ ତିନି ଦିନ ପାଇଁ ରିମାଣ୍ଡରେ ନେଇଥିଲା । ତେବେ ରିମାଣ୍ଡ ଅବଧି ଶେଷ ହେବାପରେ ବୁଧବାର ସିଜାନ୍ଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ବିଚାରପତି ମାମଲାର ଶୁଣାଣି କରି ସିଜାନ୍ଙ୍କୁ ଶୁକ୍ରବାର ପର୍ଯ୍ୟନ୍ତ ପୁଲିସ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ତୁନିଷା ଓ ସିଜାନ୍ଙ୍କ ମଧ୍ୟରେ ପୂର୍ବରୁ ପ୍ରେମସମ୍ପର୍କ ରହିଥିଲା । ତେବେ ପନ୍ଦର ଦିନ ପୂର୍ବେ ସେମାନଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଥିବା ସତ୍ତ୍ୱେ ସେମାନେ ହିନ୍ଦୀ ସିରିଏଲଲ ‘ଆଲିବାବା-ଦାସ୍ତାନ୍-ଇ-କାବୁଲ’ ପାଇଁ ଏକାଠି ସୁଟିଂ କରୁଥିଲେ । ଗତ ଶନିବାର ତୁନିଷା ସୁଟିଂ ସେଟ୍ରେ ଆତ୍ମହତ୍ୟା କରିଥିଲେ । ତୁନିଷାଙ୍କ ପରିବାରବର୍ଗଙ୍କ ଅଭିଯୋଗକୁ ଆଧାର କରି ପୁଲିସ ସିଜାନ୍ଙ୍କୁ ଗିରଫ କରିଛି । ତୁନିଷାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ସିଜାନ୍ ଗିରଫ ହୋଇଛନ୍ତି । ଇତିମଧ୍ୟରେ ମୁମ୍ବାଇ ପୁଲିସର ଫରେନ୍ସିକ୍ ଟିମ୍ ସୁଟିଂ ସେଟ୍ରୁ ତୁନିଷା ଘଟଣାଦିନ ପରିଧାନ କରିଥିବା ପୋଷାକ ଓ ଅଳଙ୍କାର ଜବତ କରିଥିବାବେଳେ ପୁଲିସ ସୁଟିଂ ସେଟ୍ର ୧୬ ଜଣ କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରିସାରିଛି । ଜେରା ସମୟରେ ପୁଲିସ ସିଜାନ୍ର ହ୍ୱାଟସଆପ୍ ମେସେଜ୍ ଯାଞ୍ଚ କରିଛି । ତେବେ ସିିଜାନ୍ ପ୍ରମାଣ ନଷ୍ଟ କରିବାକୁ କେତେକ ଗୁରୁତ୍ୱପୂର୍ଣ୍ଣ ମେସେଜ୍ ହଟାଇ ଦେଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ନିଜର ଅନ୍ୟ ଜଣେ ପୂର୍ବତନ ପ୍ରେମିକା (ତୁନିଷା ନୁହନ୍ତି)ଙ୍କ ସହ ସିଜାନ୍ ଚାଟିଂ କରିଥିବା ଜଣାପଡିଛି । ପୁଲିସ ସିଜାନ୍ଙ୍କ ହ୍ୱାଟସ୍ଆପ୍ରୁ ୨୫୦ ପୃଷ୍ଠାର ଚାଟିଂ ଜବତ କରିଛି ।