ନୂଆଦିଲ୍ଲୀ : ଦୁଇଜଣ ଯୁବତୀ ଜଣେ ଯୁବକଙ୍କୁ ବିବାହ କରିବାକୁ ଜିଦ୍ ଧରି ବସିଲେ । ଏହାକୁ ନେଇ କେବଳ ଉକ୍ତ ଦୁଇ ଯୁବତୀ ନୁହନ୍ତି, ଯୁବକଙ୍କ ପରିବାର, ବନ୍ଧୁବାନ୍ଧବ ଆଦି ସମସ୍ତଙ୍କର ଚିନ୍ତା ବଢିଗଲା । ଯେତେ ବୁଝାଇଲେ ମଧ୍ୟ ଜଣେ ହେଲେ ଯୁବତୀ ନିଜ ଜିଦ୍ରୁ ଓହରିବାକୁ ରାଜି ନଥିଲେ । ବହୁ ବିଚାର ବିମର୍ଷ ପରେ ଶେଷରେ ଏକ ଉପାୟ ବାହାର କରାଗଲା ଏବଂ ତାହା ହିଁ କାମ ଦେଲା । ଏମିତି ଏକ ଘଟଣା ଘଟିଛି କର୍ଣ୍ଣାଟକର ସାକ୍ଲେଶପୁରରେ । ସୂଚନା ଅନୁଯାୟୀ, କର୍ଣ୍ଣାଟକର ହାସନ ତହସିଲ ଅନ୍ତର୍ଗତ ସାକ୍ଲେଶପୁରର ଜଣେ ୨୭ ବର୍ଷ ବୟସ୍କ ଯୁବକ ଗତବର୍ଷ ତାଙ୍କ ପଡୋଶୀ ଗ୍ରାମର ଜଣେ ୨୦ ବର୍ଷ ଯୁବତୀଙ୍କ ସହିତ ପରିଚିତ ହୋଇଥିଲେ । ସେମାନେ ନିୟମିତ ଭାବରେ ପରସ୍ପରକୁ ଭେଟୁଥିଲେ । ପ୍ରାୟ ଛଅମାସ ତଳେ ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ଭେଟିଲେ ଏବଂ କ୍ରମେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢିବାରେ ଲାଗିଲା । କିନ୍ତୁ ଦୁଇ ଯୁବତୀ ଜଣେ ଯୁବକଙ୍କ ସହିତ ସମ୍ପର୍କ ରଖିବା ବିଷୟରେ ଜାଣିନଥିଲେ, କିମ୍ବା ପରସ୍ପରକୁ ଚିହ୍ନି ନଥିଲେ । ଦିନେ ଯୁବକଙ୍କର ଜଣେ ସଂପର୍କୀୟ ଉକ୍ତ ଯୁବକଙ୍କୁ ଜଣେ ଯୁବତୀଙ୍କ ସହିତ ବୁଲିବା ଦେଖି ଯୁବକଙ୍କ ପରିବାର ଲୋକଙ୍କୁ କହିଦେଲେ । ପରିବାର ଲୋକ ଯୁବକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଉକ୍ତ ଯୁବତୀଙ୍କୁ ଭଲ ପାଉଥିବା ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ । କିନ୍ତୁ ପରିବାର ଲୋକ ଏଥିରେ ରାଜି ନହୋଇ ଅନ୍ୟଜଣେ ଯୁବତୀଙ୍କୁ ଖୋଜିବାକୁ କହିଲେ । ଦୁଇ ଯୁବତୀଙ୍କ ମଧ୍ୟରୁ ଦ୍ୱିତୀୟ ଯୁବତୀ ଜଣକ ଯୁବକଙ୍କ ପରିବାର ନିଷ୍ପତ୍ତି ସମ୍ପର୍କରେ ଜାଣିବା ପରେ ନିଜ ବାପା ମା’ଙ୍କୁ ଉକ୍ତ ଯୁବକଙ୍କ ସହିତ ସମ୍ପର୍କ ବିଷୟରେ ଜଣାଇଥିଲେ । ଏହାପରେ ଉକ୍ତ ଯୁବତୀଙ୍କ ପରିବାର ଲୋକ ଯୁବକଙ୍କ ଘରକୁ ଯାଇ ସେମାନଙ୍କୁ ଦୁଇଜଣଙ୍କ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ଜଣାଇଲେ । ଇତିମଧ୍ୟରେ ପ୍ରଥମ ଯୁବତୀ ଜଣକ ଏହା ଜାଣିପାରି ନିଜ ପରିବାର ସହିତ ଯୁବକଙ୍କ ଘରେ ଯାଇ ପହଞ୍ଚିଗଲେ । ଏକ ସମୟରେ ଦୁଇଜଣ ଯୁବତୀ ଏବଂ ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକଙ୍କୁ ଦେଖି ଯୁବକଙ୍କ ପରିବାର ଲୋକଙ୍କୁ କିଛି ବୁଦ୍ଧିବାଟ ଦେଖାଗଲା ନାହିଁ । ସେମାନେ କ’ଣ କରିବେ କିଛି ବୁଝିପାରିଲେ ନାହିଁ । ଏଭଳି ଏକ ତ୍ରିକୋଣୀୟ ପ୍ରେମ କାହାଣୀର ସମାଧାନ ପାଇଁ ପଞ୍ଚାୟତର ବୈଠକ ବସିଲା । ଯୁବକ ଜଣଙ୍କୁ ଯେତେବେଳେ ତାଙ୍କ ପସନ୍ଦର ଯୁବତୀ କିଏ ବୋଲି ପଚରାଗଲା ସେତେବେଳେ ଉଭୟ ଯୁବତୀ ତାଙ୍କ ପତ୍ନୀ ହେବାକୁ ଯୁକ୍ତି କରିବସିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଯୁବକ ଜଣକ ନିରବ ରହିଥିଲେ । ନିଜେ ଠକିଯାଇଥିବା ହୃଦବୋଧ କରି ପ୍ରଥମ ଯୁବତୀ ଜଣକ ବିଷଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଫଳରେ ପଞ୍ଚାୟତ କିଛି ନିଷ୍ପତ୍ତି ନେଇନପାରି ବୈଠକକୁ ଅଧାରୁ ବନ୍ଦ ରଖିଲା । କିନ୍ତୁ ଭାଗ୍ୟକୁ ତାଙ୍କ ଜୀବନ ରକ୍ଷା ହୋଇଗଲା । ତାହାପରେ ଆଉ ଥରେ ପଞ୍ଚାୟତ ବୈଠକ ବସିଲା । ସେଠାରେ ଯୁବକଙ୍କର ପରିବାର ଏବଂ ଦୁଇ ଯୁବତୀଙ୍କ ପରିବାର ଏକ ରାଜିନାମାରେ ଦସ୍ତଖତ କଲେ ଯେ ପଞ୍ଚାୟତ ଯାହା ନିଷ୍ପତ୍ତି ନେବ, ତାହା ସମସ୍ତେ ମାନିବେ । କେହି ପୋଲିସ ଅଦାଲତ କିମ୍ବା ଗଣମାଧ୍ୟମ ନିକଟକୁ ଯିବେନାହିଁ ବୋଲି କୁହାଗଲା । ଏହାପରେ ପଞ୍ଚାୟତ ପକ୍ଷରୁ ଏକ ମୁଦ୍ରାକୁ ନେଇ ଟସ୍ ପକାଗଲା । ପ୍ରଥମ ଯୁବତୀ ଜଣକ ଟସ୍ ଜିତିଲେ ଏବଂ ଯୁବକ ଜଣକ ତାଙ୍କୁ ବିବାହ କଲେ । ତେବେ ଏଥିରେ ଗଭୀର ଭାବରେ ମର୍ମାହତ ହୋଇଥିବା ଦ୍ୱିତୀୟ ଯୁବତୀ ଜଣକ ଉକ୍ତ ଯୁବକଙ୍କୁ ଚାପୁଡା ମାରିବା ସହିତ ସେ କେବେହେଲେ ସୁଖୀ ଦାମ୍ପତ୍ୟ ଜୀବନ ନିର୍ବାହ କରିପାରିବେ ନାହିଁ ବୋଲି କାନ୍ଦି କାନ୍ଦି କହିଥିଲେ ।