ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ପୁଣିଥରେ ସୁପ୍ରିମ୍କୋର୍ଟରେ ପହଞ୍ଚିଛି । ଗୁରୁବାର ସୁପ୍ରିମ୍କୋର୍ଟ ଆଦେଶ ଦେଇଥିଲେ ଯେ ଦିଲ୍ଲୀ ସରକାରଙ୍କ ପରାମର୍ଶରେ ଉପରାଜ୍ୟପାଳଙ୍କୁ କାର୍ଯ୍ୟ କରିବାକୁ ହେବ । ଅଧିକାରୀଙ୍କ ଟ୍ରାନ୍ସଫର୍ ଓ ପୋଷ୍ଟିଂ ରାଜ୍ୟ ସରକାରଙ୍କ ଅନୁସାରେ ହେବ । ଏହି ଆଦେଶର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସର୍ଭିସେସ୍ (ସେବା) ସଚିବ ଆଶିଷ ମୋରେଙ୍କୁ ହଟାଇ ଦେଇଥିଲେ ।
ତେବେ ମୋରେଙ୍କ ବିରୋଧରେ ନିଆଯାଇଥିବା ଏହି ନିଷ୍ପତ୍ତି ଉପରେ ଉପରାଜ୍ୟପାଳ ରୋକ୍ ଲଗାଇ ଦେଇଛନ୍ତି । ନିୟମ ଅନୁସାରେ ବ୍ୟୁରୋକ୍ରାଟ୍ସଙ୍କ ଟ୍ରାନ୍ସଫର୍ ପୂର୍ବରୁ ୨୦୧୪ରେ ଦିଲ୍ଲୀ ସରକାର ଦ୍ୱାରା ଗଠିତ ସିଭିଲ୍ ସର୍ଭିସେସ୍ ବୋର୍ଡ (ସିଏସ୍ବି)ର ପରାମର୍ଶ ନିଆଯିବା ଆବଶ୍ୟକ । ମାତ୍ର ମୋରେଙ୍କ ମାମଲା ପ୍ରଥମେ ସିଏସ୍ବି ପାଖକୁ ପଠାନଯାଇ ଏହି ନିୟମର ପାଳନ କରାଯାଇ ନାହିଁ ।
ସୂଚନାଯୋଗ୍ୟ, ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ସର୍ଭିସେସ୍ (ସେବା) ବିଭାଗ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣରେ ଥିଲା । ଦିଲ୍ଲୀ ସରକାର ଅଭିଯୋଗ କରିଛନ୍ତି ଯେ ଏହା ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତିର ଅବମାନନା । ଏହା ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମ୍କୋର୍ଟ ସରକାରଙ୍କ ଆବେଦନର ଶୁଣାଣି ପାଇଁ ପ୍ରସ୍ତୁତ ହୋଇଛନ୍ତି ।