ନୂଆଦିଲ୍ଲୀ: ଭାରତୀୟ ରେସ୍ଲିଂ ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜ ଭୂଷଣ ଶରନ୍ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦେଶର ଏକାଧିକ ତାରକା ରେସଲର୍ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହାର ତଦନ୍ତ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏକ ଓଭର୍ସାଇଟ୍ କମିଟି ଗଠନ କରାଯାଇଥିଲା । ଏହି କମିଟି ତଦନ୍ତ ରିପୋର୍ଟ ଦାଖଲ କରିବା ସକାଶେ ୪ ସପ୍ତାହ ସମୟ ପାଇଥିଲା । ତେବେ ଗୁରୁବାର ଏମ୍ସି ମ୍ୟାରିକମ୍ଙ୍କ ନେତୃତ୍ୱାଧୀନ ଏହି କମିଟିକୁ ତଦନ୍ତ ରିପୋର୍ଟ ଦାଖଲ କରିବା ସକାଶେ ଆଉ ଅଧିକ ଦୁଇ ସପ୍ତାହ ସମୟ ଦିଆଯାଇଛି ।
ଦେଶର ତାରକା ମହିଳା ରେସଲର୍ ବିନେଶ ଫୋଗଟ୍, ସାକ୍ଷୀ ମଲିକଙ୍କ ସହ ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଓ ରବି ଦହିୟା ଏଠାକାର ଜନ୍ତରମନ୍ତରଠାରେ ଗତ ମାସରେ ଧାରଣାରେ ବସିଥିଲେ । ଡବ୍ଲ୍ୟୁଏଫ୍ଆଇ ସଭାପତି ନିଜର ମନମାନି କରିବା ସହ ମହିଳା ରେସଲର୍ମାନଙ୍କୁ ଯୌନ ନିର୍ଯାତନା ଦେଉଥିବାରୁ ତୁରନ୍ତ ତାଙ୍କୁ ଦାୟିତ୍ୱ ହଟାଯିବା ସକାଶେ ସେମାନେ ଦାବି କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆଲୋଚନା କରିବା ସହ ଗତ ଜାନୁଆରୀ ୨୩ ତାରିଖରେ ଓଭର୍ସାଇଟ୍ କମିଟି ଗଠନ କରିଥିଲେ, ଯେଉଁଥିରେ ମ୍ୟାରିକମ୍ଙ୍କ ବ୍ୟତୀତ ପୂର୍ବତନ ରେସଲର୍ ଯୋଗେଶ୍ୱର ଦତ୍ତ, ପୂର୍ବତନ ଶଟଲର୍ ତୃପ୍ତି ମୁର୍ଗୁଣ୍ଡେ, ସାଇ ସଦସ୍ୟା ରାଧିକା ଶ୍ରୀମାନ୍ ଓ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ (ଟପ୍)ର ପୂର୍ବତନ ସିଇଓ ରାଜେଶ ରାଜଗୋପାଲନ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ମହିଳା ରେସଲର୍ ବବିତା ଫୋଗଟ୍ ସଦସ୍ୟ ଭାବେ ସ୍ଥାନ ପାଇଥିଲେ ।
ଏହି କମିଟିକୁ ମଧ୍ୟ ଡବ୍ଲ୍ୟୁଏଫ୍ଆଇର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ତେବେ କମିଟି ପକ୍ଷରୁ ତଦନ୍ତ ରିପୋର୍ଟ ଦାଖଲ ସକାଶେ ଅଧିକ ସମୟ ଦିଆଯିବା ସକାଶେ ନିବେଦନ କରାଯିବା ପରେ ଏପରି ନିଷ୍ପତ୍ତି ହୋଇଥିବା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।